ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଏହା ସହ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ । ୨୨ ତାରିଖରେ ପ୍ରାର୍ଥିପତ୍ର ଯାଂଚ ଓ ୨୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଆବଶ୍ୟକ ପଡିଲେ ସେପ୍ଟେମ୍ବର ୩ ତାରିଖରେ ଭୋଟଗ୍ରହଣ ହୋଇପାରେ । ମମତା ମହନ୍ତଙ୍କ ଇସ୍ତଫା ପରେ ସେହି ଆସନ ଖାଲି ପଡ଼ିଛି । ମମତାଙ୍କ ସ୍ଥାନରେ କିଏ ଦିଲ୍ଲୀ ଯିବେ ତାହା ବିଜେପିର ଘୋଷଣାକୁ ଅପେକ୍ଷା ରହିଛି ।ବିଧାନସଭାର ସଂଖ୍ୟାଗଣିତକୁ ହିସାବକୁ ନେଲେ ବିଜେପି ଖାତାକୁ ରାଜ୍ୟସଭା ଆସନ ଯିବା ନିଶ୍ଚିତ । ଦଳ ପାଖରେ ସଂଖ୍ୟା ହେଉଛି ୭୮ । ଏପରିକି ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ବିଜେପି ସହ ରହିଛି । ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ମମତା ମହନ୍ତଙ୍କୁ ପୁଣି ଥରେ ବିଜେପି ରାଜ୍ୟସଭାକୁ ପଠାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହାଛଡା ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନାଁ ବି ଆଗରେ ରହିଛି ।