ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଦଳର ପ୍ରଭାବଶାଳୀ ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜେଡି ଛାଡିଛନ୍ତି । ସେ ଯାହା କହିଛନ୍ତି ତାହାର ସାଂରାସ ହେଉଛି ତାଙ୍କ କଥା କେହି ଶୁଣୁନାହାଁନ୍ତି । ଯେଉଁମାନେ ବର୍ଷ ପରେ ବର୍ଷ କାମ କରିଛନ୍ତି ସେମାନଙ୍କୁ ଜିଲ୍ଲା ଦାୟିତ୍ବ ମିଳୁନାହିଁ । ଏହାରି ଭିତରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ସମେତ ମୋଟ ୪୦ଜଣ ନେତାମାନେ ଦଳ ଛାଡିଛନ୍ତି ।

କିନ୍ତୁ ଦଳର ପୂର୍ବତନ ସାଂସଦ ତଥାଗତ ଶତପଥୀ ପ୍ରତିକ୍ରିୟା ଦେଇ କହିଛନ୍ତି, “ଭାସ୍କର ରାଓ ଜଣେ ଟାଣୁଆ ନେତା। ସେମାନଙ୍କର ନିଷ୍ପତ୍ତି ପାଇଁ ଶୁଭେଚ୍ଛା।” ସେ କଟାକ୍ଷ କରି କହିଛନ୍ତି ଯେ, ବିଜେଡିର ଏକ୍ସପାରୀ ଡେଟ୍ ପଳେଇଗଲାଣି। ଦଳ ଏବେ ନୂଆ ନାମ-ରୂପରେ ଆସିବାର ସମ୍ଭାବନା ରହିଛି।

୨୦୨୪ ସାଧାରଣ ନିର୍ବାଚନରେ ହାରିବା ପରେ ଗୋଟେ ପରେ ଆଉ ଗୋଟେ ସଙ୍କଟ ଆସୁଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ସବୁଠୁ ବଡ଼ ସଂକଟ ଦଳପାଇଁ । ଏହାରି ଭିତରେ ନବୀନ ପଟ୍ଟନାୟକ ସାଂଗଠନିକ କାର୍ଯ୍ୟରେ ସେତେ ସମୟ ଦେଇପାରୁନାହାଁନ୍ତି । ନବୀନ ଅନ୍ୟମାନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା ଯୋଗୁଁ ଦଳରେ ଗୋଷ୍ଠୀକନ୍ଦଳ ବଢ଼ୁଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି ।  ଭିକେ ପାଣ୍ଡିଆନଙ୍କୁ ଦଳର ଅନେକ ନେତା ଭିନ୍ନ ଚକ୍ଷୁରେ ଦେଖୁଛନ୍ତି । ଦଳ ହାରିବାର କାରଣ ପାଇଁ ତାଙ୍କୁ ଦାୟୀ କରାଯାଉଛି । ପାଣ୍ଡିଆନଙ୍କ ଗର୍ବ-ଅହଙ୍କାର ଏବଂ ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁଁ ୨୦୨୪ ନିର୍ବାଚନରେ ବିଜେଡି ହାରିଲା ବୋଲି ବିଜେଡିର ଅନେକ ନେତା ଅଭିଯୋଗ କରୁଛନ୍ତି । ବିଶେଷ କରି  ଦକ୍ଷିଣ ଓଡ଼ିଶାର ୨୯ଟି ବିଧାନସଭା ଆସନରୁ ମାତ୍ର ୩ଟି ଜିତିଛି ବିଜେଡି ।

Leave a comment