ଭୁବନେଶ୍ୱର: ନିଲମ୍ବନ ଆଦେଶର ଦୁଇ ଦିନ ପରେ କଂଗ୍ରେସ କମିଟି ଉପରେ ଜୋରଦାର ବର୍ଷିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ମେ 8ରେ ସେ ଯେଉଁ ମତ ରଖିଥିଲେ ତାହା କିଛି ଭୁଲ ନଥିଲା । ଚାହିଁଥିଲେ ସେ ଆଲୋଚନା କରିପାରିଥାନ୍ତେ । ସଚିନ ପାଇଲଟ ତ ପୁଣି ଦଳ ବିରୋଧରେ ଅନେକ କଥା ରାଜସ୍ଥାନରେ କହିଛନ୍ତି । କିନ୍ତୁ ଦଳ ସେଠି ଆଲୋଚନା କରୁଛି ଏଠି କାହିଁ କରିପାରିବ ନାହିଁ । ସେଦିନ ବୈଠକରେ କଂଗ୍ରେସକୁ କିଭଳି ସୁଦୃଢ଼ କରାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । କୁହାଗଲା, ମୋ ପାଇଁ ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା । ଯାହାର କିଛି ବାସ୍ତବତା ନାହିଁ । ହେଲେ ଧାମନଗର ଓ ପଦ୍ମପୁର ନିର୍ବାଚନରେ କାହାପାଇଁ ଖରାପ ପ୍ରଦର୍ଶନ ହେଲା । ସେ ବିଷୟରେ ଆଲୋଚନା ହେଉନାହିଁ । ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କଲେ କଂଗ୍ରେସ ସୁଦୃଢ଼ ହୋଇପାରିବନି । ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ । ଏପରି କହିଛନ୍ତି ଚିରଞ୍ଜୀବ ବିଶ୍ବାଳ ।

ଚିରଞ୍ଜୀବ କହିଛନ୍ତି ଯେ ମୁଁ କଂଗ୍ରେସରେ ଅଛି , ରହିବି କାରଣ ମୁଁ କଂଗ୍ରେସ ପରିବାରରୁ ଆସିଛି । ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି । ପିସିସି ସଭାପତିଙ୍କ ସୁପାରିଶ କ୍ରମେ ମୋତେ ନିଲମ୍ବନ କରାଯାଇଛି । ମୁଁ କଂଗ୍ରେସ ବିରୋଧରେ କୌଣସି ଭୁଲ କାମ କରିନାହିଁ । ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ । କଂଗ୍ରେସରୁ ନିଲମ୍ବନ କରିବା ମୋତେ ଦାରୁଣ ଆଘାତ ଦେଇଛି । ଗୋଟିଏ କୁଚକ୍ରୀ ଗୋଷ୍ଠୀ ମୋତେ ଦୂରେଇବାକୁ ଚେଷ୍ଟାରେ ଅଛନ୍ତି । ସେମାନେ ଦଳର କ୍ଷତି କରୁଛନ୍ତି । ଯେଉଁଠି କଂଗ୍ରେସ ସ୍ଥିତି ଭଲ ରହିଛି, ସେଠି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି । ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲାରେ କଂଗ୍ରେସକୁ ଭାଗ ଭାଗ କରିବାକୁ ଚେଷ୍ଟାରେ ଅଛନ୍ତି । କଂଗ୍ରେସକୁ ସୁଦୃଢ କରିବାକୁ ଭୁବନେଶ୍ୱରରେ ଏକ ସଭାର ଆୟୋଜନ କରାଇଥିଲୁ । କଂଗ୍ରେସକୁ ସୁଦୃଢ କରାଇବାକୁ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଭୁଲ ରହିଲା କେଉଁଠି ।