କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ବିଜେଡିର ସମାଲୋଚନା

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠଗଡ଼ରେ ରଖିଥିବା ଏକ ବୟାନକୁ କାଉଣ୍ଟର କରିବା ସହିତ ତାଙ୍କ ଅଭିଭାଷଣକୁ ମିଛ କହିଛି ବିଜେଡି। ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, ମିଶନ ଶକ୍ତି ତାଙ୍କ ସରକାର ସମୟରେ ଆରମ୍ଭ ହେଲା ବୋଲି ଧର୍ମେନ୍ଦ୍ର କହିଥିଲେ । ଯାହାକି ସମ୍ପୂର୍ଣ୍ଣ ମିଛ । ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମାଆମାନେ ଗଛ ତଳେ ବସି ମୁଠି ଚାଉଳ ଦେଇ ମିଶନ ଶକ୍ତି ଗଢିଥିଲେ । ମାତ୍ର ତାଙ୍କ କାର୍ଯ୍ୟ ବିଷୟରେ ନଜାଣି କେନ୍ଦ୍ରମନ୍ତ୍ରୀ ବକ୍ତବ୍ୟ ଦେବା ମାଆମାନଙ୍କ ପାଇଁ ଅପମାନ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

କେନ୍ଦ୍ରମନ୍ତ୍ରୀ ଯେଉଁ ଜାତୀୟ ରାଜପଥରେ ଆଠଗଡ଼ ଯାଇଥିଲେ ତାହା ଶୋଚନୀୟ ହୋଇପଡ଼ିଛି । ଏନଏଚ ୫୫ ମରଣଯନ୍ତା ହେଲା ପରେ ମଧ୍ୟ ସେ କାହିଁକି ଚୁପ୍ ବୋଲି ଇପ୍ସିତା ପ୍ରଶ୍ନ କରିଛନ୍ତି। ଓଡ଼ିଶାର ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଗରିବ ଆଦିବାସୀଙ୍କୁ ମିଳିବାକୁ ଥିବା ଘର ବନ୍ଦ କରିଦେଲେ। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପଦୁଟିଏ ମଧ୍ୟ କହିଲେ ନାହିଁ । ଆଠଗଡ଼ ଗସ୍ତ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଜବାହାର ନବୋଦୟ ବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ ଆଠଗଡ଼ବାସୀ ଉପକୃତ ହୋଇଥାନ୍ତେ।