ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ

 

ବିଜେଡି କାହାକୁ ଦେବ ଭୋଟ । ସ୍ପଷ୍ଟ କଲେନି ନବୀନ । ଦିଲ୍ଲୀରେ ଏନେଇ କରିବେ ଘୋଷଣା । ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସାରା ଦେଶରେ ରାଜନୈତିକ ଗତିବିଧି ଜୋରଦାର ହୋଇଛି। ଓଡ଼ିଶାରେ ମଧ୍ୟ ରାଜନୀତି ସରଗରମ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ଏହାକୁ ନେଇ ଓଡ଼ିଶା ପାଇଁ କିଛି ବଡ଼ ଯୋଜନା ଚାଲିଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ଏ ବିଷୟରେ କିଛି କହୁନାହାନ୍ତି।

ବିଜେଡି କ’ଣ ନିଷ୍ପତ୍ତି ନେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏ ଯାଏଁ ବିଜେଡି ନିଜର ନିଷ୍ପତ୍ତି ସ୍ପଷ୍ଟ କରିନାହିଁ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଯାଇଛନ୍ତି। ସେ ବିମାନବନ୍ଦରରେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀ ଯାଉଛନ୍ତି। କିନ୍ତୁ ଦଳର ନିଷ୍ପତ୍ତି ବିଷୟରେ କିଛି କହିନାହାନ୍ତି।

ସଂଖ୍ୟାଗଣିତ ଅନୁସାରେ, ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜିତିବା ସହଜ। ଓଡ଼ିଶାରେ ଲୋକସଭାର ୨୧ ଆସନ ମଧ୍ୟରୁ ୨୦ଟି ବିଜେପିର। ତେଣୁ ଏନଡିଏ ପ୍ରାର୍ଥୀଙ୍କୁ ଓଡ଼ିଶାରୁ ଭୋଟ ମିଳିବାରେ ଅସୁବିଧା ନାହିଁ। ରାଜ୍ୟସଭାରେ ବିଜେଡିର ୭ ଓ ବିଜେପିର ୩ ସଦସ୍ୟ ଅଛନ୍ତି। ଏନଡିଏକୁ ଜିତିବା ପାଇଁ ବିଜେଡିର ସମର୍ଥନ ଖାସ୍‌ ଜରୁରୀ ନୁହେଁ। ତଥାପି ବିଜେପି ନେତୃତ୍ବ ଅଧିକ ଭୋଟରେ ଜିତିବା ପାଇଁ ବିଜେଡିର ସମର୍ଥନ ଚାହୁଁଛନ୍ତି। ମୋଦି ନବୀନଙ୍କୁ ମନାଇଛନ୍ତି । ତେଣୁ ନବୀନ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିପାରନ୍ତି । ନହେଲେ ବିବେକ ଅନୁସାରେ ଭୋଟ ଦେବାକୁ କହିପାରନ୍ତି ।

Leave a comment