୧୦ ବର୍ଷରେ ଓଡ଼ିଶାକୁ ଅବ‌ହେଳା କରିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶାସନ କାଳରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଇଥିବା ନେଇ ଆଜି କହିଥିଲେ। ଏହାକୁ ଖଣ୍ଡନ କରିଛି ବିଜେଡି। ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଆମ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି କରି ଆସୁଛି। ଏଥି ପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆମେ ଆମ ସ୍ୱର ଉତ୍ତୋଳନ କରିଆସୁଛୁ। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ନିତି ଆୟୋଗ ପର୍ଯ୍ୟନ୍ତ ଆମ ଦାବିକୁ କେବଳ ଉପସ୍ଥାପନା କରାଯାଇନି, ଓଡ଼ିଶା ବିଧାନସଭାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ସର୍ବଦଳୀୟ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଶାରୁ ବିଜେପି ୨୧ରୁ ୨୦ ସାଂସଦ ହାସଲ କରିଥିବା ବେଳେ ଚଳିତ ବଜେଟ୍‌ରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଦେଖାଇଥିବା ଆଭିମୁଖ୍ୟ ନୈରାଶ୍ୟଜନକ। ବିହାରକୁ ୨୬ ହଜାର କୋଟି ଓ ଆନ୍ଧ୍ରପ୍ରଦେଶକୁ ୧୬ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା ଜଳଜଳ ହୋଇ ଦେଖାଯାଉଛି। ଗତ ୧୨ ବର୍ଷ ଧରି କୋଇଲାର ଦର ସଂଶୋଧନ ନ ହେବା ଫଳରେ ଓଡ଼ିଶା ସରକାର ବାର୍ଷିକ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି।