ପ୍ରୀତିରଞ୍ଜନଙ୍କ ଭଡ଼ାଘରେ ଚଢ଼ଉ

ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଧ୍ୟରେ ଏକ ଅଭାବନୀୟ ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ଖରିଆର୍‌ ରୋଡ୍‌ସ୍ଥିତ ଭଡ଼ାଘରେ ୨ ଜଣ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ଫୋର୍ସ ଚଢ଼ଉ କରିଥିଲା। ଘରେ ନିର୍ବାଚନରେ ବଣ୍ଟାଯିବା ପାଇଁ ଟଙ୍କା ରଖାଯାଇଥିବା ସୂଚନା ମିଳିବା ପରେ ଏହି ଯାଞ୍ଚ କରାଯାଇଥିଲା। ଚଢ଼ଉ ସମୟରେ ସେ ଘରେ ନଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ଘର ଯାଞ୍ଚ କରିଥିଲେ ମଧ୍ୟ କୌଣସି ଆପତ୍ତିଜନକ ସାମଗ୍ରୀ କିମ୍ବା ଟଙ୍କା ମିଳିନଥିଲା ଏବଂ ମାଜିଷ୍ଟ୍ରେଟ୍‌ ଫେରିଯାଇଥିଲେ।

ତେବେ ଶ୍ରୀ ଘଡ଼ାଇ ଅଭିଯୋଗ କରିଛନ୍ତି ଯେ ପୁଲିସ ତାଙ୍କ ସହଯୋଗୀ ରାକେଶ ପଣ୍ଡାଙ୍କୁ ମାଡ଼ ମାରିଛି। ବିନା ଅନୁମତିରେ ଓ ରାଜନୈତିକ ଉଦ୍ଦେଶ୍ୟରେ ହୋଇଥିବା ଏହି ଯାଞ୍ଚକୁ ବିଜେଡି ଜୋରଦାର ବିରୋଧ କରିଛି।

ବିଜେଡି କର୍ମୀମାନେ ଖରିଆର ରୋଡ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଶାସନ ବିରୋଧରେ ହୋହଲ୍ଲା କରିଥିଲେ। ବିଜେଡି ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ପୁଲିସ ପ୍ରଶାସନର ଅପବ୍ୟବହାର ହେଉଛି ଏବଂ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ: ଏହି ଘଟଣାର ପ୍ରତିବାଦ କରି ଭୁବନେଶ୍ୱରରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଙ୍କୁ ଭେଟି ଆବେଦନ କରିଛନ୍ତି।

Leave a comment