ନବୀନଙ୍କ ଗୃହରେ ଅନୁପସ୍ଥିତି ଅଭିଯୋଗର ଉତ୍ତର ଦେଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର, ଡିସେମ୍ବର ୯: ବିଧାନସଭା ଗୃହରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖାଦେଇଛି।

ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳକୁ କଡ଼ା ଟାର୍ଗେଟ କରି କହିଥିଲେ ଯେ, ନବୀନ ପଟ୍ଟନାୟକଙ୍କୁ ଗୃହରେ ୨ ମିନିଟ୍ ବସିବାକୁ ଧୈର୍ଯ୍ୟ ନାହିଁ, କିନ୍ତୁ ସେ ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଯାଇପାରୁଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ, ୯ ଦିନ ହେଲା ଗୃହ ଚାଲିଥିଲେ ମଧ୍ୟ ବିରୋଧୀ ଦଳ ନେତା କେତେ ଦିନ ଆସିଛନ୍ତି କିମ୍ବା କେତେ ଡିବେଟରେ ସରକାରଙ୍କୁ ଘେରିଛନ୍ତି? ସେ କହିଥିଲେ, “ଖାଲି ‘X’ (ଟ୍ୱିଟର)ରେ ପୋଷ୍ଟ କରିଦେଲେ ବିକାଶ ହେବ ନାହିଁ।”

ମୁଖ୍ୟମନ୍ତ୍ରୀଙ୍କ ଏହି ଆକ୍ଷେପ ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଗୃହକୁ ଆସୁନାହାନ୍ତି କିମ୍ବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଉନାହାନ୍ତି। ତାଙ୍କ ପାଇଁ ଅନ୍ୟ ମନ୍ତ୍ରୀମାନେ ଉତ୍ତର ରଖୁଛନ୍ତି। ସେ କହିଛନ୍ତି, “ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସବୁବେଳେ ଗୃହକୁ ଆସୁଥିଲେ। ମୋହନ ମାଝୀଙ୍କ ଠାରୁ ନବୀନ ବାବୁ ଅନେକ ଭଲ ଥିଲେ।” ପ୍ରମିଳା ମଲ୍ଲିକ ଆହ୍ୱାନ ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରଥମେ ନିଜେ ଗୃହକୁ ଆସନ୍ତୁ ଏବଂ ବିରୋଧୀଙ୍କ କଥା ଶୁଣନ୍ତୁ।