କଟକ ସହରରେ ଅଶାନ୍ତି ସୃଷ୍ଟି କରିଥିବା ଘଟଣାରେ ୮ ଜଣଙ୍କୁ ସୋମବାର ଗିରଫ କରିଛି ପୋଲିସ। ଏନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଭସାଣି ସମୟରେ ଅଶାନ୍ତି ସୃଷ୍ଟି କରି ଭଙ୍ଗାରୁଜା ଏବଂ ପୋଲିସକୁ ଆକ୍ରମଣ କରିବା ଘଟଣାରେ ଏମାନେ ଗିରଫ ହୋଇଛନ୍ତି।
କଟକ ହିଂସାକୁ ନେଇ ଆଡଭାଇଜରୀ ଜାରି କରିଛି ପୋଲିସ। ସୋସିଆଲ ମିଡିଆରେ କୈଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରିବା ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି।
ଦଶହରା ଭସାଣି ସମୟରେ ଶୁକ୍ରବାର ରାତିରେ ଘଟିଥିବା ଗଣ୍ଡଗୋଳରୁ କଟକ ସହର ଅଶାନ୍ତ ହୋଇପଡ଼ିଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନଁା ଧରୁନାହିଁ। ଏପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ ହୋଇଛି। ଆଇନ ଶୃଙ୍ଖଳା ADG ସଂଜୟ କୁମାରଙ୍କ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କଟକ ସହରରେ ଶାନ୍ତି ବଜାୟ ରଖିବାକୁ ପୋଲିସର ଅପିଲ କରାଯାଇଛି। ସଚେତନ ହୋଇ ଘର ଭିତରେ ରହିବାକୁ ବିଶେଷ ପରାମର୍ଶ ଦିଆଯାଇଛି।
ସରକାରୀ କାର୍ଯ୍ୟାଳୟ, ଅତ୍ୟାବଶ୍ୟକ ଜରୁରୀସେବା ଚାଲୁ ରହିବ। ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନାହିଁ। ଉପଦ୍ରବ କରିବାମାତ୍ରେ ବଳପ୍ରୟୋଗ କରାଯିବ। ଆବଶ୍ୟକସ୍ଥଳେ କର୍ଫ୍ୟୁ ସମୟକୁ ବୃଦ୍ଧି କରାଯାଇପାରେ ବୋଲି କମିଶନର ଏସ୍.ଦେବଦତ୍ତ ସିଂ କହିଛନ୍ତି। ଗଣ୍ଡଗୋଳ ଅଞ୍ଚଳ ଦରଘାବଜାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ ହେବା ସହ ପୋଲିସର ଫ୍ଲାଗମାର୍ଚ୍ଚ ଜାରି ରହିଛି। ସୋସିଆଲ ମିଡିଆରେ ଯେପରି କୌଣସି ଉତ୍ତେଜନାମୂଳକ ବାର୍ତ୍ତା ପ୍ରସାରିତ ନ ହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି।