ବିମାନ ଦୁର୍ଘଟଣା: ଡିଜିସିଏ ଟିମ୍ର ତନାଘନା, ୨ ଆହତ ଯାତ୍ରୀଙ୍କୁ ମୁମ୍ବାଇ ଏୟାରଲିଫ୍ଟ
ରାଉରକେଲା ଉପକଣ୍ଠ ଜଲଦା ଅଞ୍ଚଳର ଏକ ବିଲରେ ବିମାନ ଦୁର୍ଘଟଣା ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପରେ ରାଉରକେଲାରେ ଡିଜିସିଏ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି। ସେମାନଙ୍କ ସହ ‘ୱାନ୍ ଏୟାର’ କର୍ତ୍ତୃପକ୍ଷ, ଏଏଆଇବି ଟିମ୍ ପହଞ୍ଚି ଦୁର୍ଘଟଣାର ସବୁଦିଗକୁ ନେଇ ତଦନ୍ତ କରିଛନ୍ତି। ଘଟଣାସ୍ଥଳରେ ଏରିଏଲ୍ ସର୍ଭେ କରାଯିବା ସହ ଉଭୟ ପାଇଲଟ୍ଙ୍କ ସହ ଆଲୋଚନା କରିଛନ୍ତି। ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ମଧ୍ୟ ରାଉରକେଲାରେ ପହଞ୍ଚିଛନ୍ତି। ରବିବାର ଦିନ ପ୍ରାୟ ୧୧ଟାରେ ରାଉରକେଲା ବିମାନବନ୍ଦରରେ ଓହ୍ଲାଇ ସେଠାରୁ ସିଧାସଳଖ ଜେପି ହସ୍ପିଟାଲରେ ପହଞ୍ଚିଥିଲେ। ସମୀକ୍ଷା ପରେ ଶ୍ରୀମତୀ ପାଢ଼ୀ ଜଲଦା ଅଞ୍ଚଳରେ ଶନିବାର ଘଟିଥିବା ବିମାନ ଦୁର୍ଘଟଣା ପରେ ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଘଟଣା ଉପରେ ଦୃଷ୍ଟି ରଖିବା ସହ ସମସ୍ତ ପ୍ରଭାବିତଙ୍କ ପାଇଁ ଉନ୍ନତ ଚିକିତ୍ସା ଓ ସମନ୍ୱିତ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆବଶ୍ୟକ ବ୍ୟବସ୍ଥା ପ୍ରାଥମିକତା ଭିତ୍ତିରେ କରାଯାଇଛି। ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଏକ ଦୁଇଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି ଓ ଜିଲ୍ଲାସ୍ତରରେ ଜରୁରୀକାଳୀନ ଚିକିତ୍ସା ସୁବିଧା ସକ୍ରିୟ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।