ନୂତନ ପୁନଃବ୍ୟବହାରକ୍ଷମ ପ୍ରକ୍ଷେପଣ ଯାନକୁ କ୍ୟାବିନେଟ ମଞ୍ଜୁରି

ପରବର୍ତ୍ତୀ ପିଢ଼ିର ପ୍ରକ୍ଷେପଣ ଯାନର ବିକାଶ ପାଇଁ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରତିଷ୍ଠା ଓ ପରିଚାଳନା ଏବଂ ୨୦୪୦ରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ସକାଶେ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଲଭିଏମ୩ ପେଲୋଡ କ୍ଷମତା ତୁଳନାରେ ଏନଜିଏଲଭି ପେଲୋଡ କ୍ଷମତା ତିନିଗୁଣା ଅଧିକ ଏବଂ ଖର୍ଚ୍ଚ ହିସାବରେ ମାତ୍ର ଦେଢ଼ଗୁଣା ଅଧିକ ।ଏଥିସହ ଏହା ପରିବେଶ ଅନୁକୂଳ ପ୍ରକ୍ରିୟାରେ ପୁନଃବ୍ୟବହାରକ୍ଷମ ଭାବେ ମହାକାଶକୁ କମ୍ ଖର୍ଚ୍ଚରେ ଯାଇପାରିବ । ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ପାଇଁ ଏକ ନୂତନ ପିଢ଼ିର ପ୍ରକ୍ଷେପଣ ଯାନର ଆବଶ୍ୟକତା ଥିଲା, ଯାହାକି ଅଧିକ ପେଲୋଡ ସହ ପୁନଃବ୍ୟବହାରକ୍ଷମ ହୋଇଥିବା ଏବଂ ମାନବ ପରିବହନ ସକାଶେ ସକ୍ଷମ ହୋଇଥିବ । ତେଣୁ ଏଜିଏଲଭିର ବିକାଶ ନିଷ୍ପତ୍ତି ହୋଇଛି ଯାହାକି ସର୍ବାଧିକ ୩୦ ଟନର ପେଲୋଡ ସହ ପୃଥିବୀର ନିମ୍ନ କକ୍ଷକୁ ଯାଇପାରିବ ଏବଂ ପ୍ରଥମ ପର୍ଯ୍ୟାୟରେ ପୁନଃବ୍ୟବହାରକ୍ଷମ ହୋଇଥିବ ।