ଛଅଟି ଜିସିସି ରାଷ୍ଟ୍ର ମଧ୍ୟରୁ 5ଟି ଦେଶ ସେମାନଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରିଛନ୍ତି ସମ୍ମାନିତ
ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତର ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି। 2014 ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି ଭାରତ-ଉପସାଗରୀୟ ସମ୍ପର୍କ ଇତିହାସରେ ଅତୁଳନୀୟ।
ଏହି ସହଭାଗୀତା ହାଇଡ୍ରୋକାର୍ବନ ଏବଂ ଭାରତୀୟ ଶ୍ରମଶକ୍ତି ଉପରେ ପୂର୍ବ ନିର୍ଭରଶୀଳତାଠାରୁ ଢେର ଆଗକୁ ବଢ଼ିଛି। ଏହା ଏକ ଅଧିକ ବିଶ୍ୱସନୀୟ, ଢାଞ୍ଚାଗତ ଏବଂ ରାଜନୈତିକ ଭାବରେ ଆତ୍ମବିଶ୍ୱାସୀ ସମ୍ପର୍କରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିସିସି (ଗଲ୍ଫ କର୍ପୋରେସନ କାଉନସିଲ) ଦେଶଗୁଡ଼ିକୁ 15 ଥର ଗସ୍ତ, ଯେକୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବାଧିକ। ଏପରି ଏକ ସଦ୍ଭାବନା ପୂର୍ଣ୍ଣ ପ୍ରୟାସ ଏଭଳି ପରିଚିତି ସୃଷ୍ଟି କରିଛି ଯାହା ପୂର୍ବ ସରକାରମାନେ କେବେ କରିପାରି ନଥିଲେ। ଛଅଟି ଆରବ ରାଷ୍ଟ୍ରକୁ ନେଇ ଗଠିତ ଜିସିସି ସବୁଠାରୁ ପ୍ରଭାବଶାଳୀ ଆଞ୍ଚଳିକ ରାଷ୍ଟ୍ରଗୋଷ୍ଠୀ ମଧ୍ୟରୁ ଅନ୍ୟତମ। ଏହା ପଶ୍ଚିମ ଏସିଆର ଆର୍ଥିକ ଏବଂ ରାଜନୈତିକ ଧାରାକୁ ଆକାର ଦେଇଥାଏ।
ଭାରତ ସହ ସମ୍ପର୍କରେ ଏହି ନୂତନ ଆତ୍ମବିଶ୍ୱାସର ସଦ୍ୟତମ ପ୍ରତିଫଳନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ନାଗରିକ ସମ୍ମାନ ରୂପରେ ଦେଖିବାକୁ ମିଳିଛି। ଛଅଟି ଉପସାଗରୀୟ ରାଷ୍ଟ୍ର ମଧ୍ୟରୁ ପାଞ୍ଚଟି ରାଷ୍ଟ୍ର ଏବେସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେମାନଙ୍କର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରିସାରିଛନ୍ତି । ଗତ ସପ୍ତାହରେ ଓମାନ ସରକାର ତାଙ୍କର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ଓମାନ ପ୍ରଦାନ କରି ଏହି ତାଲିକାରେ ସାମିଲ ହୋଇଛନ୍ତି।
ଏଥିପୂର୍ବରୁ 2019ରେ ୟୁଏଇର ଅର୍ଡର ଅଫ୍ ଜାଏଦ, 2016ରେ ସାଉଦି ଆରବର କିଙ୍ଗ ଅବଦୁଲାଜିଜ୍ ସାସ୍, 2019ରେ ବାହାରିନର କିଙ୍ଗ ହମାଦ୍ ଅର୍ଡର ଅଫ୍ ଦି ରେନେସାଁ (ପ୍ରଥମ ଶ୍ରେଣୀ) ଏବଂ 2024ରେ କୁଏତର ମୁବାରକ୍ ଅଲ୍-କବୀରଙ୍କ ଅର୍ଡର ଅଫ୍ ଦି ରେନେସାଁ ପୁରସ୍କାର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଦିଆଯାଇଥିଲା।