ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି, ଏବେ ସ୍କାନରରେ ବାନ୍ଧବୀ
ପାକିସ୍ତାନୀ ଗୋଇନ୍ଦା ସଂସ୍ଥାକୁ ଭାରତର ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପଠାଉଥିବା ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୟାମିନ, ଦେବିନ୍ଦର ଓ ଅର୍ମାନ ରହିଛନ୍ତି।
ହରିୟାଣାର ହିସାରରେ ରହୁଥିବା ଟ୍ରାଭେଲ ବ୍ଲଗର ଜ୍ୟୋତି ଏକ ୟୁଟ୍ୟୁବ୍ ଚ୍ୟାନେଲ ଚଳାଉଥିଲେ ଓ ବିଭିନ୍ନ ସମୟରେ ପାକିସ୍ତାନ ସମେତ ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଯାଉଥିଲେ। ନ୍ୟୁ ଅଗରସେନ୍ ଏକ୍ସଟେନ୍ଶନରୁ ତାଙ୍କୁ ଗିରଫ କରାଯିବା ସହ ସରକାରୀ ଗୋପନୀୟତା ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ୫ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଯାଇଛି।୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରି ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ଏନେଇ ସେ ୨୭ ତାରିଖରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଶନିବାର ତାଙ୍କୁ ଗିରଫ କରାଯିବା ପରେ ପୁରୀ ବିଷୟରେ କିଛି ତଥ୍ୟ ଶେୟାର କରିଥିବା ଅନୁମାନ କରାଯାଉଛି। ଏନେଇ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ଏହାର ଖୋଳତାଡ଼ ଆରମ୍ଭ କରିଛି। ପୁରୀ କାଳିକାଦେବୀ ସାହିର ଜଣେ ଯୁବତୀ ଜ୍ୟୋତିଙ୍କ ସମ୍ପର୍କରେ ଥିଲେ। ଜ୍ୟୋତିଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା। ଉଭୟ ସାଙ୍ଗ ହୋଇ ପାକିସ୍ତାନ କର୍ତ୍ତାରପୁର କରିଡର ଯାଇଥିଲେ। ଏହା ଜଣାପଡ଼ିବା ପରେ ଉକ୍ତ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।