ସିସୋଦିଆଙ୍କୁ ଜାମିନ ମିଳିଲାନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ମିଳିଲା ନାହିଁ ।  ୨ଟି ପୃଥକ୍‌ ଜାମିନ ଆବେଦନର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ଏହି ମାମଲାରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ କରିଛନ୍ତି । ତେବେ ଏଥିରେ ପ୍ରମାଣ ଅଭାବ ଥିବା କହିଛନ୍ତି ।  ଆଜି ଦୁଇ ତଦନ୍ତକାରୀ ସଂସ୍ଥା ସିବିଆଇ ଏବଂ ଇଡିକୁ କଡ଼ା ପ୍ରଶ୍ନ କରିଛନ୍ତି। ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଏବଂ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଆଜି ସୁପ୍ରିମକୋର୍ଟ ମାମଲାର ପ୍ରମାଣକୁ ନେଇ ଅତି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ କହିଛନ୍ତି, ତଦନ୍ତକାରୀ ସଂସ୍ଥା ଉକ୍ତ ମାମଲାରେ ରଖିଥିବା ପ୍ରମାଣରେ ଏକ ଶୃଙ୍ଖଳା ରଖିବାକୁ ପଡ଼ିବ। ଖଣ୍ଡପୀଠ କହିଛନ୍ତି, ଆମେ ମାନୁଛୁ ‌ଯେ ସବୁକିଛି ଅତ୍ୟନ୍ତ ଗୋପନୀୟ ଭାବେ ‌ହୋଇଥିବାରୁ ପ୍ରମାଣରେ ଶୃଙ୍ଖଳା ବଜାୟ ରଖିବା କଷ୍ଟଦାୟକ। କିନ୍ତୁ ଏଠାରେ ହିଁ ଆପଣଙ୍କ ଦକ୍ଷତା କଥା ଉଠୁଛି।