୫ ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ ଯୋଜନା’’

ମୋଟ୍‌ ୫ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ରାଜ୍ୟମାନଙ୍କରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଲାଗି’’ ଯୋଜନା ଆରମ୍ଭ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଣ୍ଠି ଅଧୀନରେ ନିର୍ଦ୍ଧାରିତ ଆବଣ୍ଟନରୁ ଏହି ଅର୍ଥ ବିନିଯୋଗ କରାଯିବ। ରାଜ୍ୟମାନଙ୍କୁ ସେମାନଙ୍କର ଆଇନଗତ ଓ ମୌଳିକ ଭିତ୍ତିଭୂମି ଆଧାରିତ ସଂସ୍କାର ଆଧାରରେ ପ୍ରୋତ୍ସାହିତ କରିବା ଲାଗି ମୋଟ ବ୍ୟୟବରାଦ ମଧ୍ୟରୁ ୫୦୦ କୋଟି ଟଙ୍କାର ଅର୍ଥରାଶି ରଖାଯାଇଛି । ଏ ସଂକ୍ରାନ୍ତରେ ସବୁ ରାଜ୍ୟର ମୁଖ୍ୟ ସଚିବ ଏବଂ ଅଗ୍ନିଶମ ସେବା ମୁଖ୍ୟମାନଙ୍କୁ ପତ୍ର ପଠାଯାଇଛି ।

୧୩ ଜୁନ୍, ୨୦୨୩ରେ ଅନୁଷ୍ଠିତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ, ଶ୍ରୀ ଅମିତ ଶାହା ଏହି ଯୋଜନାର ଘୋଷଣା କରିଥିଲେ ।ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ କୁଶଳୀ ମାର୍ଗଦର୍ଶନରେ ଭାରତରେ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରଣାଳୀକୁ ମଜବୁତ କରିବା ସହିତ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଏବଂ ବିପର୍ଯ୍ୟୟ ସମୟରେ ‘ଶୂନ୍ୟ ମୃତ୍ୟୁ’ ଓ ଧନଜୀବନର ସର୍ବନିମ୍ନ କ୍ଷୟକ୍ଷତି ସୁନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ ପ୍ରମୁଖ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି ।

ଯୋଜନାର ଉଦ୍ଦେଶ୍ୟ ହେଉଛି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ମଧ୍ୟରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ କରିବା, ଯାହାଫଳରେ ଏନଡିଆରଏଫର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ମାଧ୍ୟମରେ ରାଜ୍ୟସ୍ତରରେ ଅଗ୍ନିଶମ ସେବାକୁ ମଜବୁତ କରାଯାଇ ପାରିବ ।

ଯୋଜନା ଅଧୀନରେ ପ୍ରକଳ୍ପ/ପ୍ରସ୍ତାବ ଲାଗି ଅର୍ଥ ଆବଣ୍ଟନ ନିମନ୍ତେ, ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଏସବୁ ପ୍ରକଳ୍ପ/ପ୍ରସ୍ତାବର ମୋଟ୍‌ ବ୍ୟୟର ୨୫%(ଉତ୍ତର-ପୂର୍ବ ଏବଂ ହିମାଳୟ (ଏନଇଏଚ) ରାଜ୍ୟମାନଙ୍କୁ ଛାଡ଼ି, ଯେଉଁମାନେ ୧୦% ଯୋଗଦାନ ଦେବେ) ଯୋଗଦାନ ଦେବାକୁ ହେବ ଏବଂ ସେମାନେ ନିଜ ବଜେଟ୍‌ ସମ୍ବଳରୁ ଏହି ଅର୍ଥ ଯୋଗାଇ ଦେବେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିପର୍ଯ୍ୟୟ ପ୍ରଶମନ ପ୍ରଭାଗର ୱେବସାଇଟ୍ https://ndmindia.mha.gov.in ରୁ ଯୋଜନାର ବିବରଣୀ ଡାଉନଲୋଡ୍‌ କରାଯାଇପାରିବ ।