ସଂସଦ ସଦସ୍ୟତା ହରାଇଲେ ରାହୁଲ ଗାନ୍ଧୀ
ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ସଭାପତି। ଗୁଜରାଟ ସୁରତ ସହରର ଏକ ଅଦାଲତ ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅବଶ୍ୟ ଏହାପରେ ରାହୁଲଙ୍କୁ ୩୦ ଦିନ ଜାମିନ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ସେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିପାରିବେ। ‘ସବୁ ଚୋରଙ୍କ ପାଖରେ ମୋଦୀ ସାଙ୍ଗିଆ କେମିତି ଅଛି’? ରାହୁଲ ଗାନ୍ଧୀ ଏକ ନିର୍ବାଚନୀ ସଭାରେ ଏପରି କହିବା ପରେ ବିଜେପି ବିଧାୟକ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏକ ମାନହାନି ମାମଲା ଆଗତ କରିଥିଲେ। ରାହୁଲ ଗାନ୍ଧୀ ୨୦୧୯ ମସିହାର ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତହେବା ଯୋଗୁ ଲୋକସଭା ସଦସ୍ୟତା ହରାଇଛନ୍ତି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜନପ୍ରତିନିଧି ଆଇନର ଧାରା ୧୦୨ (୧) (ଉ)ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାହୁଲ ଗାନ୍ଧୀ ୨୩ ମାର୍ଚ୍ଚ ଠାରୁ ଆଉ ଲୋକସଭା ସଦସ୍ୟ ରହିପାରିବେ ନାହିଁ।