ପ୍ରଧାନମନ୍ତ୍ରୀଙ୍କୁ ମିଳିବ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ପୁଣେ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଦାଗଦୁଶେଠ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ । ପୂର୍ବାହ୍ନ ୧୧: ୪୫ ରେ  ପ୍ରଧାନମନ୍ତ୍ରୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଲୋକମାନ୍ୟ ତିଲକଙ୍କ ଉତ୍ତରାଧିକାରୀଙ୍କୁ ସମ୍ମାନ ଜଣାଇବା ପାଇଁ ୧୯୮୩ ମସିହାରେ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଗଠନ କରାଯାଇଥିଲା । ଜାତିର ପ୍ରଗତି ଏବଂ ବିକାଶ ପାଇଁ ଉଲ୍ଲେଖନୀୟ ଏବଂ ଅସାଧାରଣ ଭାବରେ କାର୍ଯ୍ୟ କରିଥିବା ଏବଂ ଅବଦାନ ରଖିଥିବା ଲୋକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହା ପ୍ରତିବର୍ଷ ଅଗଷ୍ଟ ୧ – ଲୋକମାନ୍ୟ ତିଲକଙ୍କ ମୃତ୍ୟୁ ବାର୍ଷିକୀରେ ପ୍ରଦାନ କରାଯାଏ । ଆଜି ଲୋକମାନ୍ୟ ତିଲକଙ୍କ ପୂଣ୍ୟତିଥି ସାରା ଦେଶରେ ପାଳନ କରାଯାଉଛି ।

ପ୍ରଧାନମନ୍ତ୍ରୀ ଏହି ପୁରସ୍କାରର ୪୧ ତମ ଗ୍ରହଣକାରୀ ହେବେ । ଏହା ପୂର୍ବରୁ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଶଙ୍କର ଦୟାଲ ଶର୍ମା, ଶ୍ରୀ ପ୍ରଣବ ମୁଖାର୍ଜୀ, ଶ୍ରୀ ଅଟଳ ବିହାରୀ ବାଜପେୟୀ, ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଡକ୍ଟର ମନମୋହନ ସିଂହ, ଶ୍ରୀ ଏନ ଆର ନାରାୟଣ ମୁର୍ତ୍ତୀ, ଡକ୍ଟର ଇ ଶ୍ରୀଧରନ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ଅବସରରେ ପୁଣେ ମେଟ୍ରୋର ପ୍ରଥମ ପର୍ଯ୍ୟାୟର ଦୁଇଟି କରିଡରର କାର୍ଯ୍ୟ ସଂପୂର୍ଣ୍ଣ ହେବା ଅବସରରେ ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୬ ରେ ହୋଇଥିଲା । ନୂତନ ସେକ୍ସନଗୁଡିକ ପୁଣେ ସହରର ଶିବାଜୀ ନଗର, ସିଭିଲ୍ କୋର୍ଟ, ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟାଳୟ, ପୁଣେ ଆରଟିଓ ଏବଂ ପୁଣେ ରେଳ ଷ୍ଟେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଂଯୋଗ କରିବ ।