ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓମାର ଅବଦୁଲ୍ଲା। ଧାରା ୩୭୦ ଉ‌ଚ୍ଛେଦ ହେବା ପରଠାରୁ ଏହି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ବିଧାନସଭା ନିର୍ବାଚନରେ ​​ ନେସ୍‌ନାଲ୍‌ କନ୍‌ଫରେନ୍ସ ଦଳ ବିଜୟ ଲାଭ କରିଥିବା ବ‌େଳେ ସେ ଆଜି ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଓମାର ଅବଦୁଲ୍ଲାଙ୍କ ସମେତ ପାଞ୍ଚ ଜଣ ବିଧାୟକ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ସ୍ୱାଧୀନ ବିଧାୟକ ସତୀଶ ଶର୍ମା ଏବଂ ଅନ୍ୟ ଚାରି ଜଣ ନ୍ୟାସନାଲ କନଫରେନ୍ସର ସାକିନୋ ଇତୋ, ଜାଭିଦ ଦାର୍, ସୁରିନ୍ଦର ସିଂହ ଚୌଧୁରୀ ଏବଂ ଜାଭିଦ ରାଣା ଶପଥ ନେଇଛନ୍ତି। କିନ୍ତୁ କଂଗ୍ରେସ ଏନସି ସହ ମେଣ୍ଟ ଭାବେ ସରକାର ଗଠନ କରିଥିଲେ ମଧ୍ୟ ଦଳର କୌଣସି ବିଧାୟକ ମନ୍ତ୍ରୀଭାବେ ଶପଥ ନେଇନାହାନ୍ତି। ୫ ଜଣଙ୍କ ମଧ୍ୟରେ ଜଣେ ସ୍ବାଧୀନ ବିଧାୟକ  ଶତୀଶ ଶର୍ମା ରହିଛନ୍ତି।

ନେସ୍‌ନାଲ୍‌ କନ୍‌ଫରେନ୍ସ (ଏନସି) ଆଜି ଶ୍ରୀନଗରରେ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଇଣ୍ଡିଆ ବ୍ଲକ୍‌ର ସହଯୋଗୀ ନେତାମାନଙ୍କୁ ଆମନ୍ତ୍ରଣ କରିଥିଲା।

କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବାର 6 ବର୍ଷ ପରେ ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ।  ତାଙ୍କ ସହ ସୁରିନ୍ଦର ସିଂହ ଚୌଧୁରୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଆଜି ଶ୍ରୀନଗରର ଶେର-ଇ-କଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (SKICC)ରେ ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଥିଲା। ଉପରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଏହି ସମାରୋହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧି, ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପ୍ରମୁଖ ଯୋଗ ଦେଇଥିଲେ।