ରାହୁଲଙ୍କ ‘ଭୋଟ ଚୋରି’ ଅଭିଯୋଗକୁ NDAର କଡ଼ା ଜବାବ

 

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ NDA ସରକାର ଭୋଟ ଚୋରି କରିଥିବା ରାହୁଲ ଗାନ୍ଧୀ ବାରମ୍ବାର କହୁଛନ୍ତି । ରାହୁଲ ଙ୍କ ସାଙ୍ଘାତିକ ଅଭିଯୋଗ ପରେ ଭାରତୀୟ ଜନତା ପାର୍ଟି (BJP) ଏବଂ ଶାସକ ମେଣ୍ଟ NDA ପକ୍ଷରୁ ତୀବ୍ର ପାଲଟା ଆକ୍ରମଣ କରାଯାଇଛି। BJP ଏହି ଅଭିଯୋଗକୁ ‘ଆଧାରହୀନ’, ‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’ ଏବଂ ‘ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ଅପମାନ’ ବୋଲି କହି ଖଣ୍ଡନ କରିଛି। ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ NDAର ବରିଷ୍ଠ ନେତାମାନେ ଏକାଠି ହୋଇ କଡ଼ା ସମାଲୋଚନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ BJP ନେତା ମାନେ କହିଛନ୍ତି ଯେ ରାହୁଲ ଗାନ୍ଧୀ ବାରମ୍ବାର ନିର୍ବାଚନ କମିଶନ (ECI) ଭଳି ସାମ୍ବିଧାନିକ ଅନୁଷ୍ଠାନ ଉପରେ ଅଭିଯୋଗ ଆଣି ଭାରତୀୟ ଗଣତନ୍ତ୍ର ପ୍ରତି ଅବିଶ୍ୱାସ ପ୍ରକଟ କରୁଛନ୍ତି।  BJP ଅଭିଯୋଗ କରିଛି ଯେ କଂଗ୍ରେସ ଦଳ ପରାଜୟର ବାହାନା ଖୋଜୁଛି। ଯେତେବେଳେ କଂଗ୍ରେସ ଜିତେ, ସେତେବେଳେ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଯାଏ ନାହିଁ, କିନ୍ତୁ ହାରିଲେ EVM କିମ୍ବା ନିର୍ବାଚନ କମିଶନ ଉପରେ ଦୋଷ ଲଦାଯାଏ।

 

ବିଜେପି ନେତାମାନେ ସ୍ପଷ୍ଟ କରିଛନ୍ତି ଯେ ରାହୁଲ ଗାନ୍ଧୀ ଯେଉଁ ‘ଭୋଟ ଚୋରି’ର ପ୍ରମାଣ ଥିବା ଦାବି କରୁଛନ୍ତି, ତାହା ଭିତ୍ତିହୀନ ଏବଂ ପ୍ରମାଣ କେବଳ ରାଜନୈତିକ ଉଦ୍ଦେଶ୍ୟରେ ସୃଷ୍ଟି କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧୀ ପୂର୍ବରୁ ଏହି ପ୍ରକାରର ଅଭିଯୋଗ ଆଣିଥିବା ବେଳେ ନିର୍ବାଚନ କମିଶନ (ECI) ମଧ୍ୟ ଏହାକୁ ‘ସମ୍ପୂର୍ଣ୍ଣ ଭିତ୍ତିହୀନ’ ଏବଂ ‘ଅସତ୍ୟ’ ବୋଲି କହି ଖଣ୍ଡନ କରିଥିଲେ। ECI କଂଗ୍ରେସ ନେତାଙ୍କୁ ଆବଶ୍ୟକୀୟ ପ୍ରମାଣ ସହିତ ସାକ୍ଷାତ କରିବାକୁ ନିମନ୍ତ୍ରଣ କରିଥିଲେ ମଧ୍ୟ ସେ ତାହାର ଉତ୍ତର ଦେଇନଥିବା ଜଣାପଡ଼ିଛି। ସମଗ୍ର ଘଟଣାଟି ଲୋକସଭା ନିର୍ବାଚନର ଫଳାଫଳ ଉପରେ ବିରୋଧୀ ଦଳ ଏବଂ ଶାସକ ଦଳ ମଧ୍ୟରେ ତୀବ୍ର ବାଦ-ବିବାଦ ସୃଷ୍ଟି କରିଛି।

Leave a comment