ଶୁକ୍ର ମିସନ ଆରମ୍ଭ କରିବ ଇସ୍ରୋ
ବେଙ୍ଗାଲୁରୁ: ଇସ୍ରୋ ଏବେ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବାକୁ ଯୋଜନା କରୁଛି ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି। ଶୁକ୍ର ଗ୍ରହକୁ ଯେଉଁ ପେଲୋଡ୍ଗୁଡ଼ିକ ପଠାଯିବ ସେଗୁଡ଼ିକ ତିଆରି ସରିଯାଇଛି। ମହାକାଶ ଗବେଷଣା କ୍ଷେତ୍ରରେ ଆମର ଅଗ୍ରଗତିକୁ ଏହା ସୂଚାଉଛି। ଦିଲ୍ଲୀରେ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମିରେ ଉଦ୍ବୋଧନ ଦେବା ଅବସରରେ ସୋମନାଥ ଏହା କହିଛନ୍ତି। ଏହି ମିସନର ନାମ ଶୁକ୍ରଯାନ ହେବ । ଏହା ଆସନ୍ତାବର୍ଷ ଲଞ୍ଚ ହେବ ବୋଲି ଆଶା କରାଯାଉଛି।ଏସିଡ୍ରେ ପରିପୂର୍ଣ୍ଣ ଶୁକ୍ର ବହଳ ବାୟୁମଣ୍ଡଳ ଏବଂ ଏହାର ପୃଷ୍ଠଦେଶ ଉପରେ ଶୁକ୍ରଯାନ ଗବେଷଣା କରି ତଥ୍ୟ ପ୍ରଦାନ କରିବ। ଶୁକ୍ରର ବାୟୁଚାପ ପୃଥିବୀଠାରୁ ୧୦୦ ଗୁଣ ଅଧିକ। ଫଳରେ ଏହା ଉପରେ ଅନୁଧ୍ୟାନ କରିବା ଅତ୍ୟନ୍ତ ଆହ୍ବାନମୂଳକ। ସୋମନାଥ କହିଛନ୍ତି, ଶୁକ୍ର ବାୟୁମଣ୍ଡଳ ଏତେ ବହଳିଆ ଯେ ତା’ ଭିତରେ ପଶିବା କଷ୍ଟକର ଏବଂ ଶୁକ୍ର ପୃଷ୍ଠଦେଶ କଠିନ କି ନରମ ତାହା ବି ଜଣାନାହିଁ।