ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି ଭାରତୀୟ ପୁରୁଷ ହକି ଟିମ୍‌

ଦମଦାର ଲଢ଼େଇ ସତ୍ତ୍ୱେ ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି ଭାରତୀୟ ପୁରୁଷ ହକି ଟିମ୍‌। ଶେଷ ମିନିଟ୍‌ରେ ଦଳ କରିଥିବା ତ୍ରୁଟି ଯୋଗୁ ଅଷ୍ଟ୍ରେଲିଆ ୫-୪ରେ ମ୍ୟାଚ୍‌ ଜିତି ୫ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।ଭାରତ ପକ୍ଷରୁ ଆକାଶଦୀପ ସିଂହ ହ୍ୟାଟ୍ରିକ ଗୋଲ କରିଥିଲେ ମଧ୍ୟ ବ୍ଲାକେର ଗୋଭର୍ସଙ୍କ ଶେଷ ମିନିଟ୍‌ରେ ଡବଲ ପେନାଲ୍ଟି କର୍ଣ୍ଣର ଏହାକୁ ଫିକା କରିଦେଇଛି। ଆକାଶଦୀପ ସିଂହ(୧୦ମ, ୨୭ତମ, ୫୯ତମ ମିନିଟ୍‌) ୩ଟି ଗୋଲ ଦେଇଥିବା ବେଳେ ଅଧିନାୟକ ହରମନପ୍ରୀତ ସିଂହ(୩୧ତମ ମିନିଟ୍‌) ଗୋଟିଏ ଗୋଲ ସ୍କୋର କରିଛନ୍ତି।ଅଷ୍ଟ୍ରେଲିଆ ପକ୍ଷରୁ ଲାଚଲାନ ଶାର୍ପ(୫ମ ମିନିଟ), ନାଥନ ଇଫୀରାମୁସ(୨୧ତମ), ଟମ କ୍ରେଗ(୪୧ତମ ମିନିଟ) ଗୋଟିଏ ଲେଖାଏ ଗୋଲ କରିଥିବା ବେଳେ ବ୍ଲାକେ ଗୋଭର୍ସ(୫୭ ଓ ୬୦ ମିନିଟ) ଦୁଇଟି ଗୋଲ କରିଛନ୍ତି।

ଆଜିର ମ୍ୟାଚ୍‌ରେ ଆରମ୍ଭରୁ ଅଷ୍ଟ୍ରେଲିଆ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। ମ୍ୟାଚ୍‌ର ୫ମ ମିନିଟରେ ଅଷ୍ଟ୍ରେଲିଆର ଶାର୍ପ ଚମତ୍କାର ଢଙ୍ଗରେ ଭାରତୀୟ ଗୋଲ କିପର ପିଆର ଶ୍ରୀଜେଶଙ୍କୁ ଚକମା ଦେଇ ପ୍ରଥମ ଗୋଲ ହାସଲ କରିଥିଲେ। ଏହାର ଜବାବ ଭାରତୀୟ ଖେଳାଳିମାନେ ତୁରନ୍ତ ଦେଇଥିଲେ। ଓଡ଼ିଆ ତାରକା ଅମିତ ରୋହିଦାସ ଗୋଲ ସ୍କୋର କରିବାର ସୁଯୋଗ ସୃଷ୍ଟି କରିଥିଲେ। ହେଲେ ଏହା ଅଳ୍ପକେ ମିସ୍‌ ହୋଇଯାଇଥିଲା।କିନ୍ତୁ ଆକାଶଦୀପ ସିଂହ ୧୦ମ ମିନିଟରେ ଗୋଲ କରି ସ୍ଥିତିକୁ ୧-୧ରେ ବରାବର କରିଥିଲେ। ଦ୍ୱିତୀୟ ହାଫ ଆରମ୍ଭର ୬ ମିନିଟ୍‌ ପରେ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଗୋଲ କରି ଲିଡ୍‌କୁ ୨-୧ କରିଥିଲେ। ୨୭ ତମ ମିନିଟରେ ଆକାଶଦୀପ ଗୋଲ କରି ପୁଣି ସ୍ଥିତିକୁ ୨-୨ କରିଥିଲେ।

ସେକେଣ୍ଡ ହାଫ ସରିବାକୁ ମାତ୍ର କିଛି ମିନିଟ ଥିବା ବେଳେ ଅଷ୍ଟ୍ରେଲିଆକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଭାରତର ଦ୍ୱିତୀୟ ଗୋଲ କିପର କ୍ରିଷ୍ଣ ବାହାଦୂର ପାଠକ ଏହାକୁ ଅଟକାଇ ଦେଇଥିଲେ। ହାଫ ଟାଇମ ସୁଦ୍ଧା ସ୍ଥିତି ୨-୨ରେ ବରାବର ଥିଲା।