ବେଙ୍ଗାଲୁରୁ ଠାରେ ଜି୨୦ ଚତୁର୍ଥ ମହାକାଶ ଅର୍ଥନୀତି ନେତୃମଣ୍ଡଳୀଙ୍କ ବୈଠକ ର ଉଦ୍ଘାଟନ
କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପିଏମ୍ଓ, ପରମାଣୁ ଶକ୍ତି ଏବଂ ମହାକାଶ ବିଭାଗ ତଥା କାର୍ମିକ, ଜନ ଅଭିଯୋଗ ଏବଂ ପେନସନ୍ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ଏଠାରେ କହିଛନ୍ତି ଯେ ଖୁବ୍ କମ୍ ସମୟର ଅବଧି ମଧ୍ୟରେ ୧୪୦ ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଆରମ୍ଭ ହେବା ସହିତ, ଭାରତ ଏ କ୍ଷେତ୍ରରେ ମଜଭୁତ ସ୍ଥିତି ହାସଲ କରିଛି ଏବଂ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଭାରତର କ୍ଷମତା ଏବଂ ତା’ର ସାମର୍ଥ୍ୟକୁ ସମଗ୍ର ବିଶ୍ୱ ସ୍ୱୀକାର କରିବାକୁ ଆରମ୍ଭ କରିଛି ।
ଆଜି ଏଠାରେ ଜି ୨୦ ଚତୁର୍ଥ ସଂସ୍କରଣର ମହାକାଶ ଅର୍ଥନୀତି ନେତୃମଣ୍ଡଳୀଙ୍କ ବୈଠକ (ଏସ୍ଇଏଲ୍ଏମ୍)ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଡଃ ଜିତେନ୍ଦ୍ର ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଥିପାଇଁ ସମସ୍ତ ଶ୍ରେୟ ଦେବାକୁ ହେବ, ଯିଏକି ଘରୋଇ ସଂସ୍ଥା ମାନଙ୍କ ପାଇଁ ଭାରତର ମହାକାଶ ଉଦ୍ୟୋଗକୁ ଉନ୍ମୁକ୍ତ କରିଛନ୍ତି, ଯାହା ଗତ କିଛି ବର୍ଷ ଭିତରେ ବହୁଗୁଣିତ ବୃଦ୍ଧିକୁ ସକ୍ଷମ କରାଇଛି । ଯଦିଓ ଅନ୍ୟ କେତେକ ଦେଶ ତୁଳନାରେ ଭାରତ ଅନେକ ବର୍ଷ ପରେ ଏହାର ମହାକାଶ ଯାତ୍ରା ଆରମ୍ଭ କରିଥିଲା, ତଥାପି ବିଶ୍ୱର ଅଗ୍ରଣୀ ମହାକାଶ ଏଜେନ୍ସି ଗୁଡିକର ଲାଭ ପାଇଁ ଆଜି ଭାରତ ହିଁ ଗୁରୁତ୍ୱପୂର୍ଣ୍ଣ ସୂତ୍ର ଏବଂ ବିନିବେଶ ପ୍ରଦାନ କରୁଛି ବୋଲି ସେ କହିଛନ୍ତି ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ମହାକାଶ ସମ୍ବନ୍ଧୀୟ ଚୁକ୍ତିନାମା କାର୍ଯ୍ୟସୂଚୀର ପ୍ରମୁଖ ଉପାଦାନକୁ ନେଇ ଗଠିତ ହୋଇଥିଲା ଯାହା ସୂଚାଇ ଦେଉଛି ଯେ ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଣୀ ବୋଲି ଦାବି କରୁଥିବା ଦେଶମାନେ ମଧ୍ୟ ଆଜି ସେମାନଙ୍କର ମହାକାଶ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ମୂଲ୍ୟ ଯୋଗ ପାଇଁ ଭାରତ ଉପରେ ନଜର ରଖିଛନ୍ତି ।
ଘରୋଇ କ୍ଷେତ୍ରକୁ ପ୍ରଶଂସା କରି ଡଃ ଜିତେନ୍ଦ୍ର ସିଂହ ସେମାନଙ୍କର ଉଦୀୟମାନ ଭୂମିକାକୁ ମହାକାଶ ଅର୍ଥନୀତିରେ “ମହତ୍ୱପୂର୍ଣ୍ଣ’ ବୋଲି କହିଛନ୍ତି ।
ଡଃ ଜିତେନ୍ଦ୍ର ସିଂହ ଆହୁରି ମଧ୍ୟ କହିଛନ୍ତି ଯେ , ମହାକାଶର ବର୍ହିଭାଗ ଉପରେ ଅନୁସନ୍ଧାନ କରିବା ପାଇଁ ମନୁଷ୍ୟର ବୃଦ୍ଧି ପାଉଥିବା ଆକାଂକ୍ଷାକୁ ଦୃଷ୍ଟିରେ ରଖି ବିଶସ୍ତରୀୟ ସହଯୋଗ ଏବଂ ମେଂଟ ଗୁଡିକର ଗଠନ କରାଯିବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ବିଶ୍ୱ ଅର୍ଥନୀତିରେ ମହାକାଶ ଅର୍ଥ ବ୍ୟବସ୍ଥାରେ ଭାଗିଦାରୀତା ବୃଦ୍ଧି ପାଇଁ ଉତ୍ତରଦାୟୀ ମହାକାଶ ଯାତ୍ରା କରୁଥିବା ଦେଶ ଗୁଡିକର ମେଂଟ ଗଠନ ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି ।
ଡଃ ଜିତେନ୍ଦ୍ର ସିଂହ କହିଛନ୍ତି, “ମାନବିକତାର ଭବିଷ୍ୟତର ବିକାଶ ଆମର ସାମୂହିକ ସାମର୍ଥ୍ୟର ଦାୟିତ୍ୱପୂର୍ଣ୍ଣ ଭାବରେ ଫାଇଦା ଉଠାଇବା, ସମ୍ବଳ ଗୁଡ଼ିକର ଏବଂ ମହାକାଶ ପ୍ରଯୁକ୍ତିର ବ୍ୟବହାର କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ତଥା ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ରହିଛି ।’
ବିଶ୍ୱ ଅର୍ଥ ବ୍ୟବସ୍ଥାରେ ମହାକାଶ ଅର୍ଥ ବ୍ୟବସ୍ଥାର ଅଂଶ ବୃଦ୍ଧି କରିବା ପାଇଁ ଦାୟିତ୍ୱପୂର୍ଣ୍ଣ ମହାକାଶ ଯାତ୍ରାକାରୀ ଦେଶ ଗୁଡିକର ଏକ ମେଂଟ ଗଠନ ହେଉଛି ସାମ୍ପ୍ରତିକ ସମୟର ଆବଶ୍ୟକତା, ଯାହା ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଦ୍ୱାରା ସଠିକ୍ ଭାବରେ ପରିକଳ୍ପନା କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସ୍କୃତ ଭାଷାରେ ‘ବସୁଧୈବ କୁଟୁମ୍ବକମ୍’ରେ ଆମେ ଯେମିତି କହୁଛୁ, “ଗୋଟିଏ ପୃଥିବୀ, ଗୋଟିଏ ମହାକାଶ ଏବଂ ଗୋଟିଏ ଭବିଷ୍ୟତ’, ତାହା ଭାରତର ଜି୨୦ ବିଷୟବସ୍ତୁକୁ ଯଥାର୍ଥରେ ଧରି ରଖି ପାରିଛି ।