ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ । ରାଜ୍ୟସଭାରେ ବିଲକୁ ରୋକିବାକୁ ବିରୋଧୀ ଇଣ୍ଡିଆ ମେଣ୍ଟ  ଉଦ୍ୟମ କରିବେ । ତେବେ ବିରୋଧୀଙ୍କୁ ମାତ ଦେବାକୁ ସରକାରଙ୍କ ପାଖରେ ଅଧିକ ସାଂସଦଙ୍କ ସମର୍ଥନ ରହିଛି ।  ପୂର୍ବରୁ ବିଭିନ୍ନ ଦଳକୁ ଭେଟି ସମର୍ଥନ ମାଗିଥିଲେ ଅରବିନ୍ଦ  କେଜ୍ରିଓ୍ବାଲ । ତେବେ ଏନଡିଏ ସହ ନଥିବା ଅନେକ ଦଳ ବିଲକୁ ସମର୍ଥନ କରୁଥିବାରୁ ବିଲ ପାସ ହେବା ନିଶ୍ଚିତ ।  ଲୋକସଭାରେ ଏନଡିଏର ସଂଖ୍ୟା ଗରିଷ୍ଠତା ଥିବାରୁ ବିଲ୍‌ଟି ବିନା ବାଧାରେ ପାରିତ ହୋଇଥିଲା । ରାଜ୍ୟସଭାରେ ବି ଏନଡିଏ ପକ୍ଷରେ ଅଧିକ ସମର୍ଥନ ରହିଥିବା କୁହାଯାଉଛି । ଏଣୁ ବିଲ ପାରିତ ହେବା ସମ୍ଭାବନା ଅଧିକ ରହିଛି ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଦିଲ୍ଲୀ ସେବା ବିଧେୟକ ଆଗତ କରିବେ । ଗତ ତିନି ତାରିଖରେ ଏହି ବିଲ ଲୋକସଭାରେ ପାରିତ ହୋଇଥିଲା । ରାଜ୍ୟସଭାରେ ବିଲ ଆଗତ ହେବା ପୂର୍ବରୁ ନିଜର ସବୁ ରାଜ୍ୟସଭା ସାଂସଦଙ୍କୁ ଆଜି ଓ କାଲି ଉପସ୍ଥିତ ରହିବାକୁ ଆପ ହୁଇପ ଜାରି କରିଛି ।