ଚିଟଫଣ୍ଡ ଦୁର୍ନୀତି ମାମଲା

ଗତ ୫ ତାରିଖରେ ସୁପ୍ରିମକୋର୍ଟ ଚିଟଫଣ୍ଡ ଦୁର୍ନୀତି ମାମଲାର ଶୁଣାଣି କରି ସିବିଆଇକୁ ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସିବିଆଇ ଦ୍ୱାରା ଜବାବୀ ସତ୍ୟପାଠ ଦାଖଲ କରାଯାଇଛି । ଆଜି ଏ ନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ । ବିଚାରପତି ଏମ.ଆର.ଶାହା ଏବଂ ବିଚାରପତି ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ଓଡ଼ିଶାରେ ହୋଇଥିବା ଚିଟଫଣ୍ଡ ଦୁର୍ନୀତି ମାମଲାର ଶୁଣାଣି କରିବେ ।ସିବିଆଇ ସତ୍ୟପାଠରେ କହିଛି, ମେ’ ୯, ୨୦୧୪ରେ ଚିଟଫଣ୍ଡ ତଦନ୍ତର ଭାର ସିବିଆଇକୁ ହସ୍ତାନ୍ତର କରିଥିଲା । ଏହି ସମୟରେ ଜମାକାରୀଙ୍କ ଅର୍ଥ ଫେରସ୍ତ କାର୍ଯ୍ୟ ସୁପ୍ରିମକୋର୍ଟ ଦ୍ୱାରା ସିବିଆଇକୁ ଦିଆଯାଇ ନଥିଲା । ୪୪ଟି ଚିଟଫଣ୍ଡ ଦୁର୍ନୀତି ମାମଲାରୁ ୨୩ଟିରେ ସମ୍ବନ୍ଧିତ କୋର୍ଟଗୁଡ଼ିକରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇଛି । ବଳକା ୨୧ଟି ମାମଲାରେ ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କରାଯାଇଛି ଏବଂ ତଦନ୍ତ ଆଡଭାନ୍ସ ଷ୍ଟେଜରେ ରହିଛି । ୧୫ଟି ମାମଲାରେ ୧୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୯ଟି ଅଭିଯୋଗ ପତ୍ର ଦାଖଲ ହୋଇଛି । ୧୨୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ଦୋଷ ସ୍ୱୀକାର କରିଛନ୍ତି ଏବଂ ଟ୍ରାଏଲ କୋର୍ଟ ଦ୍ୱାରା ଗୋଟିଏ ମାମଲାର ଦଣ୍ଡାଦେଶ ହୋଇଛି ।