ଶ୍ରୀହରିକୋଟା : ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ । ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଚାରିପାଖେ ୧୬୬କିମିX୧୮୦୫୪ କିଲୋମିଟରର ଅଣ୍ଡାକାର କକ୍ଷପଥରେ ଘୂରିବ । ଇସ୍ରୋ ଚନ୍ଦ୍ରୟାନ-୩କୁ ଚନ୍ଦ୍ରର କକ୍ଷପଥକୁ ଧରିବା ପାଇଁ ପ୍ରାୟ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ଥ୍ରଷ୍ଟର୍ସ ଅନ୍ ରଖିଥିଲା । ଏଥିସହିତ ଚନ୍ଦ୍ରଯାନ ଚନ୍ଦ୍ରର ଗ୍ରାଭିଟିରେ ଫସିଯାଇଥିଲା । ଏବେ ତାହା ଚନ୍ଦ୍ରର ଚାରିପାଖେ ଘୂରିବ । ଏହାକୁ ଲୁନାର ଅର୍ବିଟ ଇଞ୍ଜେକ୍ସନ ବା ଇନସର୍ସନ ମଧ୍ୟ କୁହାଯାଇଥାଏ । ଚନ୍ଦ୍ରର ଚାରିପାଖେ ପାଞ୍ଚଟି କକ୍ଷପଥ ପରିବର୍ତ୍ତନ ହେବ । ଆଜି ପରେ ୬ ଅଗଷ୍ଟ ରାତି ୧୧ଟା ଆଖପାଖରେ ଚନ୍ଦ୍ରଯାନର ଅର୍ବିଟକୁ ୧୦ରୁ ୧୨ ହଜାର କିଲୋମିଟରର କକ୍ଷପଥରେ ରଖାଯିବ ।
୯ ଅଗଷ୍ଟ ଅପରାହ୍ନ ପ୍ରାୟ ୨ଟା ୪୫ମିନିଟ ସମୟରେ ଏହାର ଅର୍ବିଟକୁ ବଦଳାଯାଇ ୪ରୁ ୫ ହଜାର କିମିର କକ୍ଷପଥରେ ପ୍ରବେଶ କରାଯିବ । ୧୪ ଅଗଷ୍ଟ ଅପରାହ୍ନରେ ଏହାକୁ ହ୍ରାସ କରାଯାଇ ୧୦୦୦ କିମି କରାଯିବ । ପଞ୍ଚମ ଅର୍ବିଟ ମ୍ୟାନ୍ୟୁୱରରେ ଏହାକୁ ୧୦୦ କିମି କକ୍ଷରେ ପ୍ରବେଶ କରାଯିବ । ୧୭ ଅଗଷ୍ଟରେ ପ୍ରୋପଲ୍ସନ ମଡ୍ୟୁଲ ଏବଂ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବେ । ୧୮ ଏବଂ ୨୦ ଅଗଷ୍ଟରେ ଡିଅର୍ବିଟିଙ୍ଗ ହେବ । ଅର୍ଥାତ ଚନ୍ଦ୍ରର କକ୍ଷପଥର ଦୂରତା ହ୍ରାସ ପାଇବ । ଏହାପରେ ୨୩ ସନ୍ଧ୍ୟା ୫ଟା ବାଜି ୪୭ ମିନିଟରେ ଚନ୍ଦ୍ରଯାନର ଲ୍ୟାଣ୍ଡିଂ କରାଯିବ । ଇସ୍ରୋ ପକ୍ଷରୁ କୁହାଯାଇଛି- ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ସାଧାରଣ ରହିଛି ଏବଂ ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ସଫ୍ଟଲ୍ୟାଣ୍ଡିଂ କରିବା ଆଶା ରହିଛି ।