ପ୍ରତିଶୋଧ ରାଜନୀତିରେ ଜଳୁଛନ୍ତି ନାଇଡ଼ୁ , ଜଗନଙ୍କ କାର୍ଯ୍ୟାଳୟରେ ବୁଲିଲା ବୁଲ୍‌‌ଡୋଜର

ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୱାଇଏସଆର କଂଗ୍ରେସ ପାର୍ଟିର ଏକ ନିର୍ମାଣାଧୀନ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି। ଗୁଣ୍ଟୁର ଜିଲାର ତାଡେପଲ୍ଲୀ ନିକଟରେ ଏହି କାର୍ଯ୍ୟାଳୟ ନିର୍ମାଣ ଚାଲିଥିଲା। ଏହା ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦର୍ଶାଯାଇ ସ୍ଥାନୀୟ ଏନଏସି ପକ୍ଷରୁ ଏହାକୁ ଭାଙ୍ଗିଦିଆଯାଇଛି। ଅନ୍ୟପଟେ ସରକାରଙ୍କ ଏହି ପଦକ୍ଷେପକୁ ୱାଇଏସଆରସିପି ମୁଖ୍ୟ ଜଗନମୋହନ ରେଡ୍ଡୀ ନିନ୍ଦା କରିବା ସହିତ ଚନ୍ଦ୍ରବାବୁ ନାଇଡୁ ଏକଚ୍ଛତ୍ରବାଦ ଶାସନର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି।ଅନ୍ୟପଟେ ଏହି ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଜନସାଧାରଣ। ଚନ୍ଦ୍ରବାବୁ ନାଇଡୁ କ୍ଷମତାକୁ ଫେରିବା ପରେ ଜଗନମୋହନଙ୍କ ସରକାର ସମୟରେ ତାଙ୍କ ପ୍ରତି ହୋଇଥିବା ଅବିଚାରର ପ୍ରତିଶୋଧ ନେଇଛନ୍ତି ବୋଲି ଲୋକେ କହୁଛନ୍ତି। ୨୦୧୯ରେ ଚନ୍ଦ୍ରବାବୁଙ୍କ ଦଳ ପରାଜିତ ହୋଇଥିଲା। ୱାଇଏସଆର କଂଗ୍ରେସ କ୍ଷମତାକୁ ଆସିଥିଲା। ଏହା ପରେ ଜଗନମୋହନ ୨୦୧୯ ଜୁନ ୨୪ରେ ଚନ୍ଦ୍ରବାବୁଙ୍କ ବାସଭବନ ପ୍ରଜା ବେଦିକାକୁ ବୁଲଡୋଜର ଚଲାଇ ଭାଙ୍ଗିଥିଲେ।