ଲଦାଖରେ ଖାଇକୁ ଖସିପଡ଼ିଲା ସେନା ଗାଡ଼ି : ୯ ଯବାନ ସହିଦ

ଲଦାଖ:  ଗଭୀର ଖାଇକୁ ସେନାର ଏକ ଗାଡ଼ି ଖସିପଡ଼ିବା ଫଳରେ ଜଣେ ଜେସିଓ ଏବଂ ୮ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଲେହଠାରୁ ୧୫୦ କିମି ଦୂର କ୍ୟାରୀ ସହର ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି ବୋଲି ଲେହ ପ୍ରତିରକ୍ଷା ପିଆର୍‌ଓ ଲେପ୍ଟନାଣ୍ଟ କର୍ନେଲ ପିଏସ ସିଧୁ ସ୍ପଷ୍ଟ କରିଛନ୍ତି। ସେନାର ତିନିଟି ଗାଡ଼ି କାରୁ ଗାରିସନ୍‌ରୁ  ଲେହ ର କ୍ୟାରୀକୁ ଯାଉଥିବାବେଳେ ଏହି ଦୁର୍ଘଟଣା ହୋଇଛି। ସଂକୀର୍ଣ୍ଣ ପଥ ଦେଇ ୩ଟି ଗାଡ଼ି ଯାଉଥିଲା। ଗୋଟିଏ ମାରୁତି ଜିପ୍‌ସି, ଟ୍ରକ୍‌ ଏବଂ ଏକ ଆମ୍ବୁଲାନ୍ସ। ୩ଟି ଗାଡ଼ିରେ ୩ ଜଣ ଅଫିସର, ୨ ଜଣ ଜେସିଓ ଏବଂ ୩୪ ଜଣ ଯବାନ ଥିଲେ। ‌ତେବେ ମିଳିଥିବା ସୂଚନାନୁଯାୟୀ ୧୦ ଜଣ ଯବାନ ଥିବା‌ ଏକ ଟ୍ରକ୍‌ ଗଭୀର ଖାଇକୁ ଖସି ପଡ଼ିଥିଲା। ସେଥିରୁ ନଅ ଜଣ ସହିଦ ହୋଇଛନ୍ତି ।  ଯବାନମାନେ ଏକ ଆର୍ଟିଲେରି ୟୁନିଟ୍‌ର ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା ।