ଆପ୍‌ ଓ କଂଗ୍ରେସ ମଧ୍ୟରେ ଦିନକୁ ଦିନ ତୀବ୍ର ହେଉଛି ବିବାଦ

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଏକାଠି ହେବାକୁ ବିରୋଧୀ କରୁଥିବା ଯୋଜନାରେ ଭଟା ସୃଷ୍ଟି ହେବାରେ ଲାଗିଛି। ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ସୃଷ୍ଟି ହୋଇ ବିବାଦ ଦିନକୁ ଦିନ ତୀବ୍ର ହେଉଛି।ଦୁଇ ଦଳ ପରସ୍ପରକୁ ଆକ୍ଷେପ କରୁଥିବା ବେଳେ ଏବେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ଆଉ ଦୁଇ ପାଦ ଆଗକୁ ଯାଇଛନ୍ତି। ସେ ସିଧାସଳଖ ଅରବିନ୍ଦ କେଜ୍ରିୱାଲ ଓ ଆପ୍‌କୁ ଟାର୍ଗେଟ କରିଛନ୍ତି। ଆପ୍‌ର ସମ୍ପର୍କ ବିଜେପି ସହ ରହିଥିବା ସେ ଅଭିଯୋଗ କରିଛନ୍ତି।ଗତ ଶୁକ୍ରବାର ପାଟନାରେ ଆୟୋଜିତ ବିରୋଧୀଙ୍କ ମହା ବୈଠକରେ ଉଭୟ ଆପ୍‌ ଓ କଂଗ୍ରେସ ଯୋଗ ଦେଇଥିଲେ। ଏହି ବୈଠକରେ ମଧ୍ୟ ଅଧ୍ୟାଦେଶ ପ୍ରସଙ୍ଗକୁ ନେଇ ଦୁଇ ଦଳ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା। ଆପ୍‌ ସିଧାସଳଖ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲା। କଂଗ୍ରେସ ଥିବା ମେଣ୍ଟରେ ଯୋଗ ଦେବା ଆପ୍‌ ପାଇଁ କଷ୍ଟକର ବୋଲି ମଧ୍ୟ ଦଳ କହିଥିଲା।