ରିଲେ ରୁମ୍ ଷ୍ଟାଫଙ୍କ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ

ବାହାନଗା : ରେଲଓ୍ବେ ସେଫ୍ଟି କମିଶନଙ୍କ ରିପୋର୍ଟରୁ ମିଳିଛି ସାଂଘାତିକ ତଥ୍ୟ । ରିଲେ ରୁମ୍ ଷ୍ଟାଫଙ୍କ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ ବୋଲି ରିପୋର୍ଟରୁ ଜଣାପଡିଛି । ସିଗନାଲ ଓ ଟେଲି କମ୍ୟୁନିକେସନ ବିଭାଗର ତ୍ରୁଟି ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଥିବାରୁ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ । କେବଳ ଟେକନିକାଲ ତ୍ରୁଟି ନେଇ ସେଫ୍ଟି କମିଶନର ରିପୋର୍ଟ ଦେଇଥିବା ସୂଚନା ମିଳିଛି ।  ଦୁର୍ଘଟଣା ପଛରେ ଯଦି କୌଣସି  ଷଡ଼ଯନ୍ତ୍ର ହୋଇଥାଏ, ସିବିଆଇ ତଦନ୍ତରୁ ଏହା ସ୍ପଷ୍ଟ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।  ବାହାନଗା ଟ୍ରେନ୍ ଦୁର୍ଘଟଣାର ମାସକ ପରେ ବଦଳିଛନ୍ତି ଦକ୍ଷିଣ ପୂର୍ବ ରେଲଓ୍ବେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଛି । ଅନୀଲ କୁମାର ମିଶ୍ରଙ୍କୁ ନୂଆ ନିଯୁକ୍ତି ଦେଇଛି କ୍ୟାବିନେଟ କମିଟି ।