ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଗତ ୧୦ ଅକ୍ଟୋବର (ଶୁକ୍ରବାର) ରାତିରେ ଜଣେ ଓଡ଼ିଆ ମେଡିକାଲ୍ ଛାତ୍ରୀଙ୍କ ସହ ଜଘନ୍ୟ ଗଣଦୁଷ୍କର୍ମ ଘଟିଛି। ଏହି ପୀଡ଼ିତାଙ୍କ ଘର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର । ସେ  ଦ୍ୱିତୀୟ ବର୍ଷର ଛାତ୍ରୀ। ସେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ୍ କଲେଜରେ ପଢ଼ୁଥିଲେ ।  ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ମମତା ସରକାରଙ୍କ ଉପରେ ବର୍ଷିଛି । କହିଛି ମହିଳାଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ସୁରକ୍ଷିତ ନାହିଁ । ଦୁଷ୍କର୍ମକାରୀଙ୍କୁ ଭୂସ୍ବର୍ଗ ପାଲଟିଛି ପଶ୍ଚିମବଙ୍ଗ । ଅପରାଧିମାନଙ୍କୁ ସରକାର ସୁରକ୍ଷା ଦେଉଥିବାରୁ ଏପରି ଘଟଣା ବାରମ୍ବାର ହେଉଥିବା ବିଜେପି ଅଭିଯୋଗ କରିଛି । ମହିଳା କମିଶନ ଏନେଇ ରିପୋର୍ଟ ମାଗିଛନ୍ତି ।

ମାମଲା ଅନୁସାରେ ପୀଡ଼ିତା ସେଦିନା ସନ୍ଧ୍ୟାରେ କ୍ୟାମ୍ପସ ବାହାରକୁ ଖାଇବାକୁ ଯାଇଥିଲେ । ତାଙ୍କ ସହ ପୁରୁଷ ବନ୍ଧୁ ଥିଲେ । ପରେ କିଛି ଅଜଣା ଲୋକମାନେ ତାଙ୍କୁ ବଳପୂର୍ବକ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ ।  ଏହାପରେ ସେମାନେ ତାଙ୍କ ମୋବାଇଲ୍ ଫୋନ୍ ଓ ଟଙ୍କା ଲୁଟି ପଳାଇଯାଇଥିଲେ। ଘଟଣା ପରେ ପୀଡ଼ିତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗୁରୁତର ଅବସ୍ଥାରେ ରହିଛନ୍ତି। ପୋଲିସ ଓ ହସ୍ପିଟାଲ୍ ପ୍ରଶାସନ ସବୁ ସୁବିଧା ପ୍ରଦାନ କରୁଛନ୍ତି।

ଦୁର୍ଗାପୁର ନ୍ୟୁ୍ ଟାଉନସିପ୍ ପୋଲିସ୍ ଘଟଣା ପରେ ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ପୋଲିସ ତିନି ଜଣଙ୍କୁ ଗିରଫ କରିଛି , ପୀଡ଼ିତାଙ୍କ ବନ୍ଧୁଙ୍କୁ ଅଟକ ରଖିଛି ।  ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ମେଡିକାଲ୍ କଲେଜ୍ ପ୍ରଶାସନଙ୍କୁ ରିପୋର୍ଟ ପାଇଁ ନୋଟିସ୍ ଦେଇଛନ୍ତି। ଏହି ଦୁଃଖଦ ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୀଡ଼ିତାଙ୍କ ବାପାଙ୍କୁ ଫୋନ୍ କରି କଥା ହୋଇଛନ୍ତି। ସେ ବାପାଙ୍କୁ ସମବେଦନା ପ୍ରକାଶ କରି ସମସ୍ତ  ସହାୟତାର ଆଶ୍ୱାସନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଏହି ଘଟଣା ଶୁଣି ମୁଁ ଅତ୍ୟନ୍ତ ଦୁଃଖୀତ ।  ପରିବାରର ମାନସିକ ଅବସ୍ଥାକୁ ବୁଝୁଛି। ଓଡ଼ିଶା ସରକାର ପୀଡ଼ିତାଙ୍କ ଶୀଘ୍ର ସୁସ୍ଥତା ପାଇଁ ସମସ୍ତ ସହଯୋଗ କରିବେ । ପଶ୍ଚିମବଙ୍ଗ ସରକାରଙ୍କୁ ଅଭିଯୁକ୍ତମାନଙ୍କୁ କଡ଼ା ଶିକ୍ଷା ଦେବାକୁ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ସହ ଯୋଗାଯୋଗ କରି ଆଇନଗତ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଲେଶ୍ୱର ଏସ୍‌ପିଙ୍କୁ ଦୁର୍ଗାପୁର ପୋଲିସ୍ ସହ ଯୋଗାଯୋଗ ରଖିବାକୁ କହିଛନ୍ତି।

Leave a comment