ଚଳିତ ମାସରୁ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଓଡ଼ିଶାରେ ଗଡ଼ିବାକୁ ଯାଉଛି ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଆସନ୍ତା ୩୦ ତାରିଖ ସୁଦ୍ଧା ପୁରୀ- ରାଉରକେଲା ମଧ୍ୟରେ ଏହି ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍‌ ଚାଲିବ। ସେପ୍‌ଟେମ୍ବର ଦ୍ବିତୀୟ ସପ୍ତାହରେ ପୁରୀ- ରାଉରକେଲା ମଧ୍ୟରେ ପରୀକ୍ଷାମୂଳକ ରନିଂ କରାଯିବ ବୋଲି ଜଣାପଡ଼ିଛି। ଆଜି ଚେନ୍ନାଇରୁ ବାହାରିଥିବା ୮ କୋଚ୍‌ ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ପୁରୀର ସାକ୍ଷୀଗୋପାଳରେ ପହଞ୍ଚିଛି। ପରୀକ୍ଷାମୂଳକ ରନିଂ ପାଇଁ ପ୍ରକାଶିତ ସାରଣୀ ଅନୁଯାୟୀ ୨୦୮୩୬ (ପୁରୀ-ରାଉରକେଲା) ବନ୍ଦେ ଭାରତ ଏକ୍ସପ୍ରେସ୍‌ ସକାଳ ପ୍ରାୟ ୫ଟାରେ ପୁରୀ ଷ୍ଟେସନ ଛାଡ଼ିବ। ୫ଟା ୪୨ ମିନିଟ୍‌ରେ ଖୋର୍ଦ୍ଧାରୋଡ୍‌, ୬ଟା ୪ ମିନିଟ୍‌ରେ ଭୁବନେଶ୍ବର, ୬ଟା ୩୪ ମିନିଟ୍‌ରେ କଟକ ଷ୍ଟେସନରେ ପହଞ୍ଚିବ। ସେମିତି ସକାଳ ୭ଟା ୨୪ ମିନିଟ୍‌ରେ ​ଢେଙ୍କାନାଳ, ୮ଟା ୧୪ ମିନିଟ୍‌ରେ ଅନୁଗୁଳ, ୧୦ଟା ୧୮ ମିନିଟ୍‌ରେ ସମ୍ବଲପୁର ସିଟି, ୧୧ଟା ୨୩ ମିନିଟ୍‌ରେ ଝାରସୁଗୁଡ଼ା, ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ।