ନୂଆ ଜାଗାରେ ଜବ୍‌

ନୂଆ ଜବ୍‌ ପାଇଁ ହେଉ ଅବା ଟ୍ରାନ୍ସଫର ହେଲେ କିମ୍ବା ଜବ୍‌ ପରିବର୍ତ୍ତନ କରୁଥିଲେ, ନୂଆ ସ୍ଥାନକୁ ଯିବାକୁ ହୋଇଥାଏ। ହେଲେ ପ୍ରାରମ୍ଭିକ ସମୟରେ ଏକ ନୂଆ ସହରରେ ଆଡ୍‌ଜଷ୍ଟ କରିବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ …

କିପରି ନେବେ ଘର: ଜବ୍‌ ପାଇଁ କୌଣସି ନୂଆ ସ୍ଥାନକୁ ଯିବାକୁ ହେଲେ ପ୍ରଥମେ ଅଫିସ୍‌ଠାରୁ ଅଳ୍ପ ଦୂରରେ ଘର ଖୋଜନ୍ତୁ। ସେଠାରେ ଯଦି ପୂର୍ବରୁ କେହି ବନ୍ଧୁ କିମ୍ବା ପରିଚିତ ରହୁଥା’ନ୍ତି, ତେବେ ସେମାନଙ୍କ ସହାୟତା ମାଗନ୍ତୁ; ଅଧିକ ଉପକୃତ ହେବେ। ଯଦି ଏଭଳି ସୁବିଧା ନାହିଁ, ତେବେ ଇଣ୍ଟରନେଟ୍‌ର ସାହାଯ୍ୟ ନିଅନ୍ତୁ। ବର୍ତ୍ତମାନ କେତେକ ଓ୍ବେବ୍‌ସାଇଡ୍‌ରେ ଅଧିକାଂଶ ସହରରେ ଥିବା ରେଣ୍ଟେଡ୍‌ ହାଉସ୍‌ ବିଷୟରେ ସୂଚନା ମିଳିଯାଉଛି, ଯେଉଁଥିରୁ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଘର ଏବଂ କେତେଟଙ୍କା ଭଡ଼ା ଆଦି ଜାଣିପାରିବେ।
ଏକା ରହୁଥିଲେ: ଯଦି ସାଙ୍ଗରେ କେହି ପରିବାର ସଦସ୍ୟ ରହିବା ପାଇଁ ଚାହାନ୍ତି, ତେବେ ଯେକୌଣସି ସ୍ଥାନରେ ଭଲ ଘର ନେଇପାରିବେ। ହେଲେ ଏକା ରହିବାକୁ ପଡ଼ୁଥିଲେ ସର୍ବଦା ଅଧିକ ଲୋକ ରହୁଥିବା ଭଳି ସ୍ଥାନ ଯେପରି ଆପାର୍ଟମେଣ୍ଟ କିମ୍ବା କୌଣସି ଘରୋଇ ଲୋକଙ୍କ ଘରେ ଭଡ଼ା ରହିବା ନିରାପଦ। ଏହାବ୍ୟତୀତ ଅନେକ ସ୍ଥାନରେ ମେସ୍‌ର ବ୍ୟବସ୍ଥା ମଧ୍ୟ ରହିଛି, ଯେଉଁଠି ରହିବା ବି ଭଲ।
ମେଡ୍‌ ରଖୁଥିଲେ: କାର୍ଯ୍ୟବ୍ୟସ୍ତତା ଭିତରେ ଘର କାମ କରିବା ଅନେକ କର୍ମଜୀବୀଙ୍କ ପାଇଁ ସହଜ ହୋଇ ନ ଥାଏ। ତେଣୁ ସେମାନେ ମେଡ୍‌ ଏବଂ ରୋଷେଇ ପାଇଁ କୁକ୍‌ ମଧ୍ୟ ରଖିଥାଆନ୍ତି। ହେଲେ ନୂଆ ଜାଗାରେ ଏମାନଙ୍କୁ ରଖୁଥିଲେ କୌଣସି ବିଶ୍ୱସ୍ତ ଏଜେନ୍ସିରୁ ହିଁ ମେଡ୍‌ ରଖନ୍ତୁ। ସେମାନଙ୍କ ଆଧାରକାର୍ଡ ଏବଂ ଅନ୍ୟ ପରିଚୟ ପତ୍ର ଦେଖନ୍ତୁ। ଘରେ ଥିବା ବେଳେ ସେମାନଙ୍କୁ ଆସିବାକୁ କୁହନ୍ତୁ। ନ ଥିବା ବେଳେ ବିଶ୍ୱାସରେ କାହାକୁ ଚାବି ଦେଇଦେବାର ଭୁଲ୍‌ ଆଦୌ କରନ୍ତୁ ନାହିଁ।
ଟ୍ରାନ୍ସପୋର୍ଟ ସୁବିଧା: ଯଦି ଆପଣଙ୍କର ପର୍ସନାଲ ଗାଡ଼ି ଅଛି, ତେବେ ଭଡ଼ାଘରେ ଏହାର ପାର୍କିଂ ସୁବିଧା ଅଛିକି ନାହିଁ ପ୍ରଥମେ ବୁଝିନିଅନ୍ତୁ। ଯଦି ଗାଡ଼ି ନାହିଁ ଏବଂ ଆପଣଙ୍କୁ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ଉପରେ ନିର୍ଭର କରିବାକୁ ପଡ଼େ, ତେବେ ଘର ଭଡ଼ା ନେବା ପୂର୍ବରୁ ପାଖରେ ଏହି ବ୍ୟବସ୍ଥା ଅଛି କି ନାହିଁ ବୁଝିନିଅନ୍ତୁ।
ମାର୍କେଟ୍‌: ନିଜର ପ୍ରତ୍ୟେକ ଆବଶ୍ୟକ ସାମଗ୍ରୀ କିଣିବା ଲାଗି ମାର୍କେଟ୍‌ ଯିବାକୁ ପଡ଼ିଥାଏ। ତେଣୁ ନୂଆ ସ୍ଥାନରେ ଘର ଭଡ଼ା ନେବାବେଳେ ପାଖରେ ମାର୍କେଟ୍‌ ଅଛି କି ନାହିଁ ଦେଖିନିଅନ୍ତୁ।
ମେଡିକାଲ୍‌ ସୁବିଧା: ସେହିପରି ରହିବା ପୂର୍ବରୁ ନିକଟରେ କେଉଁଠି ମେଡିକାଲ ଅଛି ମଧ୍ୟ ଭଲ ଭାବେ ବୁଝିନିଅନ୍ତୁ, କାରଣ ଏହାଦ୍ୱାରା କେବେ ଦେହ ଖରାପ ହେଲେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ଚିକିତ୍ସା କରାଇବା ସହଜ ହୋଇପାରିବ।
ଆପଣାନ୍ତୁ କ୍ୟାଶ୍‌ଲେସ୍‌ ବ୍ୟବସ୍ଥା: ନୂଆ ସ୍ଥାନରେ ରହିବାକୁ ହେଲେ ବିଶେଷକରି ଏକା ରହୁଥିଲେ ସୁରକ୍ଷା ଦୃଷ୍ଟିରୁ ପାଖରେ ଅଧିକ ଟଙ୍କା ନ ରଖି କ୍ୟାଶ୍‌ ବଦଳରେ କାର୍ଡ କିମ୍ବା ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଭଳି କ୍ୟାଶ୍‌ଲେସ୍‌ ସୁବିଧା ଆପଣାନ୍ତୁ। ଏଟିଏମ୍‌ରୁ ଟଙ୍କା ବାହାର କରିବାକୁ ଥିଲେ ସବୁବେଳେ ଦିନ ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏଟିଏମ୍‌ ବ୍ୟବହାର କରନ୍ତୁ।
ଲୋକ ସମ୍ପର୍କ ବଢ଼ାନ୍ତୁ- ଆଜିକାଲି ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ହେଲେ ଜବ୍‌ ପାଇଁ ନୂଆ ସ୍ଥାନରେ ରହୁଥିଲେ ଘର ମାଲିକ, ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଅଫିସ୍‌ରେ ବସ୍‌ ଓ ସହକର୍ମୀଙ୍କ ସହ ସୁସମ୍ପର୍କ ରଖନ୍ତୁ। କାରଣ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିଲେ ନୂଆ ଜାଗାରେ ହଠାତ୍‌ ଆବଶ୍ୟକ ବେଳେ ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ଏହିମାନେ ନିଶ୍ଚୟ ସାହାଯ୍ୟ କରିବେ।