ପ୍ରାୟ ୯୦ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ୪ ଶୁଭ ମହା ସଂଯୋଗ ସୃଷ୍ଟି ହେଉଛି

ରକ୍ଷାସୂତ୍ରର ଡୋର ଭାଇଭଉଣୀଙ୍କ ସମ୍ପର୍କକୁ ଅତୁଟ ରଖିଥାଏ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଗ୍ରହଙ୍କ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ପ୍ରାୟ ୯୦ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ୪ ଶୁଭ ମହା ସଂଯୋଗ ସୃଷ୍ଟି ହେଉଛି । ଗ୍ରହ-ନକ୍ଷତ୍ରଙ୍କ ଅଦ୍ଭୁତ ସଂଯୋଗ ଭାଇଭଉଣୀ ସମ୍ପର୍କକୁ ମଜଭୁତ କରିଥାଏ ।

ପଞ୍ଜିକା ଅନୁସାରେ, ୧୯ ଅଗଷ୍ଟରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବ । ରକ୍ଷାବନ୍ଧନ ଦିନ ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ, ଶୋଭନ ଯୋଗ ଓ ଶ୍ରବଣ ନକ୍ଷତ୍ରର ମହାସଂଯୋଗ ସୃଷ୍ଟି ହେଉଛି । ଏହିଦିନ ଶ୍ରାବଣର ଶେଷ ସୋମବାର । ଏହି ଦିନ ଖୁବ୍‌ ଶୁଭଙ୍କର ।୧୯ ଅଗଷ୍ଟ ସକାଳ ଠାରୁ ଆରମ୍ଭ କରି ରାତି ୮ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ସର୍ବାର୍ଥ ସିଦ୍ଧି ଯୋଗ ଓ ରବିଯୋଗ । ସର୍ବାର୍ଥ ସିଦ୍ଧି ଯୋଗରେ କରାଯାଇଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ । ଏହି ସମୟରେ ରକ୍ଷାସୂତ୍ର ବାନ୍ଧିବା ଦ୍ୱାରା ଭାଇଙ୍କ ଉପରେ ଆସିବାକୁ ଥିବା ସମସ୍ତ ବାଧା ଦୂର ହୋଇଥାଏ । ଆରୋଗ୍ୟ ହେବାର ବରଦାନ ମିଳିବା ସହ ଶରୀର ସୁସ୍ଥ ରହିଥାଏ ।ପଞ୍ଜିକା ଅନୁସାରେ ୧୮ ଅଗଷ୍ଟ ରାତି ୨ଟା ୨୧ ମିନିଟରୁ ଭଦ୍ରା ଆରମ୍ଭ ହୋଇ ୧୯ ଅଗଷ୍ଟ ୧ଟା ୨୪ରେ ଶେଷ ହେବ । ଏହାପରେ ରାକ୍ଷୀ ବାନ୍ଧିବା ଶୁଭଙ୍କର ।