ଆଜିର ଦିନରେ ଚାରିଆଡ଼େ ଅପରାଧ ଏତେମାତ୍ରାରେ ବଢ଼ିଚାଲିଛି ଯେ, ପିଲାଠୁ ବୃଦ୍ଧ ସମସ୍ତେ ବିଶେଷ କରି ନାରୀମାନେ ଅସୁରକ୍ଷିତ। ତେଣୁ ପାଠପଢ଼ା, ଜବ୍ ଆଦି ଲାଗି ବାହାରକୁ ଯାଉଥିବା, ଏକାକୀ ବାହାରେ ରହୁଥିବା ଝିଅ କିମ୍ବା ମହିଳାଙ୍କଠାରୁ ଆରମ୍ଭ କରି ଗୃହିଣୀମାନେ ବି ଆତ୍ମସୁରକ୍ଷା ଲାଗି ବିଭିନ୍ନ ଦିଗ ପ୍ରତି ସଜାଗ ରହିବା ଦରକାର…
ଆତ୍ମସୁରକ୍ଷା କୌଶଳ ଶିଖିବା ଜରୁରୀ: ସାଧାରଣତଃ ନାରୀ ଅବଳା ଦୁର୍ବଳା ଏହି ଧାରଣା ଅଧିକାଂଶଙ୍କ ମନରେ ରହିଛି। ଯେଉଁଥିପାଇଁ ନାରୀଟିଏ ହିଁ ସର୍ବପ୍ରଥମେ ଯେକୌଣସି ଅପରାଧର ଶିକାର ହୋଇଥାଏ। ହେଲେ ଜୁଡ଼ୋ, କରାଟେ, ଟାଏକୋଣ୍ଡୋ, କୁମ୍ଫୁ ଆଦି ବିଭିନ୍ନ ଆତ୍ମରକ୍ଷା କଳା କୌଶଳ ଶିଖିବା ଦ୍ୱାରା ଜଣେ ଶାରୀରିକ ସ୍ତରରେ ମଜଭୁତ ହୋଇପାରିବା ସହ ଯେକୌଣସି ଅସୁବିଧାର ମୁକାବିଲା ସାହସର ସହ କରିପାରିବ।
ସେଫ୍ଟି ଆପ୍ ବ୍ୟବହାର କରନ୍ତୁ: ବର୍ତ୍ତମାନ ମହିଳାଙ୍କ ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଅନ୍ ଲାଇନ୍ ଆପ୍ ସୁବିଧା ଯୋଗାଇ ଦିଆଯାଉଛି। ତେଣୁ ସେଫ୍ଟିପିନ୍, ରକ୍ଷା, ହିମତ୍, ସ୍ମାର୍ଟ ୨୪X୭, ସେକ୍ ଟୁ ସେଫ୍ଟି, ବିସେଫ୍ଟି ଭଳି ଆପ୍କୁ ନିଜ ମୋବାଇଲ୍ ଫୋନ୍ରେ ଡାଉନ୍ଲୋଡ୍ କରନ୍ତୁ। ଏହାର ବ୍ୟବହାର ଭଲ ଭାବେ ଶିଖନ୍ତୁ।
ରୁହନ୍ତୁ ଆଲର୍ଟ: କାହାକୁ ଜଣାଇ କେବେ ବିପଦ ଆସେନି। ତେଣୁ ଘରେ ହେଉ ଅଥବା ବାହାରେ ନିଜର ସୁରକ୍ଷାକୁ ନେଇ ସତର୍କ ରୁହନ୍ତୁ। ବାହାରକୁ ଯିବାବେଳେ ଗହଣା କିମ୍ବା କୌଣସି ଦାମୀ ଅଳଙ୍କାର ପିନ୍ଧନ୍ତୁ ନାହିଁ ପାଖରେ ଅଧିକ କ୍ୟାଶ୍ ରଖିବା ମଧ୍ୟ ଠିକ୍ ନୁହେଁ। ଯଦି କୌଣସି ନୂଆ ସ୍ଥାନକୁ ଏକୁଟିଆ ଯାଉଛନ୍ତି, ସେଥିନେଇ ଘରେ ପୂର୍ବରୁ ଜଣାନ୍ତୁ।
କ୍ୟାଶ୍ଲେସ୍ ସୁବିଧା ଆପଣାନ୍ତୁ- ବର୍ତ୍ତମାନ ଖବରକାଗଜ ଏବଂ ନ୍ୟୁଜ୍ ଚ୍ୟାନେଲଗୁଡିକରେ ପ୍ରତିଦିନ ଟଙ୍କା ଚୋରି ଖବର ପ୍ରସାରିତ ହେଉଛି। ଏମିତିରେ ସୁରକ୍ଷା ପାଇଁ କ୍ୟାଶ୍ ବଦଳରେ କାର୍ଡ କିମ୍ବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଭଳି କ୍ୟାଶ୍ଲେସ୍ ସୁବିଧା ଆପଣାନ୍ତୁ। ଏଟିଏମ୍ରେ ଟ୍ରାଞ୍ଜାକ୍ସନ୍ରେ କୌଣସି ଅସୁବିଧା ହେଲେ କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ସାହାଯ୍ୟ ନିଅନ୍ତୁ ନାହିଁ। ନଚେତ୍ ଚୋରି, ଡକାୟତି ସହ ଜୀବନପ୍ରତି ବିପଦର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ।
ଲୋକ ସମ୍ପର୍କ ବଢ଼ାନ୍ତୁ: ଆଜିକାଲି ଅଧିକାଂଶ କେବଳ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଆଖପାଖରେ କାହାର କ’ଣ ହେଲା ସେ ଦିଗରେ ଆଦୌ ଅବଗତ ନ ଥା’ନ୍ତି। ହେଲେ ପାଖ, ପଡ଼ୋଶୀ କିମ୍ବା ସହକର୍ମୀ ଓ ବନ୍ଧୁଙ୍କ ସହ ସୁସମ୍ପର୍କ ରଖନ୍ତୁ। କାରଣ ହଠାତ୍ କୌଣସି ଅସୁବିଧା ପରିସ୍ଥିତିରେ ପରିବାର ସଦସ୍ୟ କିମ୍ବା କେହି ଆତ୍ମୀୟ ପାଖରେ ପହଞ୍ଚତ୍ ପାରିବେ ତାହା ସବୁବେଳେ ସମ୍ଭବ ହୋଇପାରେନି। ପବ୍ଲିକ୍ ଟ୍ରାନ୍ସପୋର୍ଟ ହୋଇପାରେ ବିପଦପୂର୍ଣ୍ଣ: ଯିବା ଆସିବା କରିବା ଲାଗି ଅଧିକାଂଶ ମହିଳା ପବ୍ଲିକ ଟ୍ରାନ୍ସପୋର୍ଟର ସାହାଯ୍ୟ ନେଇଥାନ୍ତି। ହେଲେ ଯଦି ଆପଣଙ୍କୁ ରାତିରେ ଯିବା ଆସିବା କରିବାକୁ ପଡୁଥାଏ, ତେବେ ଖାଲି ଥିବା ବସ୍ କିମ୍ବା ଅଟୋ ବଦଳରେ ଲୋକ ଗହଳି ଥିବା ଟ୍ରାନ୍ସପୋର୍ଟର ସୁବିଧା ନିଅନ୍ତୁ।
ନିଅନ୍ତୁନି ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ: ଅଧିକାଂଶ ଯୁବତୀ ଏବଂ ମହିଳା ରାସ୍ତାରେ ଲିଫ୍ଟ ମାଗୁଥିବା ଦେଖିବାକୁ ମିଳେ। ହେଲେ ଅଜଣା ଲୋକଙ୍କ ସହ ବିଶେଷକରି ଚାରିଚକିଆ ଯାନରେ ଲିଫ୍ଟ ନେବା ସୁରକ୍ଷିତ ନୁହେଁ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ।