ସହଦେବ ଦିରଦୋ ଦୁର୍ଘଟଣାରେ ଗୁରୁତର ଆହତ
ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ବସ୍ପନ କା ପ୍ୟାର ଗୀତ ଗାଇ ରାତାରାତି ସୋସିଆଲ ମିଡିଆରେ ଚହଳ ପକାଇଥିବା ସହଦେବ ଦିରଦୋ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟା ୫ଟାରେ ଘଟିଥିଲା। ଯେତେବେଳେ ସହଦେବ ତାଙ୍କ ସାଙ୍ଗମାନଙ୍କ ସହିତ ଏକ ବାଇକ୍ରେ ବସି ଶବରୀ ନଗର ଆଡକୁ ଯାଉଥିଲେ। ହଠାତ୍ ଏହି ସମୟରେ ରାସ୍ତାରେ ପଡ଼ିଥିବା ଗୋଡ଼ି ଏବଂ ବାଲି ଯୋଗୁ ତାଙ୍କ ବାଇକ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ଡାକ୍ତରଖାନା ନେଇ ଯାଇଥିଲେ, ସେଠାରେ ଡାକ୍ତର ତାଙ୍କ ମୁଣ୍ଡରେ ୪ଟି ଷ୍ଟିଚ୍ ପକାଇଥିଲେ ଏବଂ ଏକ୍ସ-ରେ ମଧ୍ୟ କରିଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଜଗଦଲପୁରକୁ ପଠାଯାଇଥିଲା ।
ପେନ୍ଦଲନାର ବିଦ୍ୟାଳୟରେ ଜାନୁଆରୀ ୨୬ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ସହଦେବ ଏହି ବସ୍ପନ କା ପ୍ୟାର ଗୀତଟିକୁ ଗାଇଥିଲେ । ପରେ ସେ ବାଦଶାହଙ୍କ ସହ ଏହି ଗୀତକୁ ରାପ ମାଧ୍ୟମରେ ଗାଇଛନ୍ତି । ସହଦେବଙ୍କ ଆରୋଗ୍ୟ କମନା କରି ରାପର ବାଦଶାହ ଟ୍ଵିଟ୍ କରି ଲେଖିଛନ୍ତି ଯେ ‘ଦୁର୍ଘଟଣା ପରେ ସହଦେବ ଅନେକ ଘଣ୍ଟା ଧରି ଚେତାଶୂନ୍ୟ ରହିଥିଲେ । ମୁଁ ତାଙ୍କ ପାଇଁ ଛିଡା ହୋଇଛି। ଆପଣମାନଙ୍କର ପ୍ରାର୍ଥନା ଆବଶ୍ୟକ’।