ମନୋଜଙ୍କ ନୈରାଶ୍ୟଜନକ ଶତକ
ମନୋଜ ବାଜପେୟୀ ମୁଖ୍ୟତଃ ଦେଶୀ ଖଳନାୟକ ଚରିତ୍ରମାନଙ୍କ ଜରିଆରେ ଭାରତୀୟ ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଶହେତମ ଚଳଚ୍ଚିତ୍ର ଭାବେ ‘ଭୈୟା ଜୀ’କୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସ୍ବାଭାବିକ। ଏଥିରେ ସେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାରୁ ତାଙ୍କ ଦକ୍ଷତାର ନୂଆ ଦିଗ କୌତୂହଳ ସୃଷ୍ଟି କରିବାକୁ ଯଥେଷ୍ଟ। ଏସବୁ ସତ୍ତ୍ବେ ‘ଭୈୟା ଜୀ’ର ଘଷରା କାହାଣୀ ଓ ଚିତ୍ରନାଟ୍ୟକୁ ମନୋଜଙ୍କ ଦକ୍ଷ ଉପସ୍ଥିତି ଉଦ୍ଧାର କରିପାରିନାହିଁ।
ଆରମ୍ଭରେ ରାମ ଚରଣ (ମନୋଜ ବାଜପେୟୀ)ଙ୍କୁ ଜଣେ ଶାନ୍ତିପ୍ରିୟ ପାରିବାରିକ ବ୍ୟକ୍ତି ଭାବେ ପ୍ରଦର୍ଶିତ କରାଯାଇଛି। ସେ ତାଙ୍କ ସାନ ଭାଇ ବେଦାନ୍ତର ସୁରକ୍ଷା ନେଇ ଅତ୍ୟନ୍ତ ଯତ୍ନଶୀଳ ତଥା ଚିନ୍ତିତ। ତେବେ ବେଦାନ୍ତ ଦିଲ୍ଲୀରୁ ବିହାରକୁ ଫେରିବା ବାଟରେ ସ୍ଥାନୀୟ ଗୁଣ୍ଡା ଅଭିମନ୍ୟୁ (ଯତୀନ ଗୋସ୍ବାମୀ) ଓ ପିତା ଚନ୍ଦ୍ରଭାନଙ୍କ ଦ୍ବାରା ନିର୍ମମ ହତ୍ୟାର ଶିକାର ହେଉଛନ୍ତି। ସାନଭାଇର ମୃତ୍ୟୁ ପରେ ରାମ ଚରଣ ନିଜେ ତାଙ୍କ ପରିବାରର ଇତିହାସ ସମ୍ପର୍କରେ ଦର୍ଶକଙ୍କୁ ସାମ୍ୟକ୍ ବର୍ଣ୍ଣନା ପ୍ରଦାନ କରିଛନ୍ତି। ସାନଭାଇ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ପାଇଁ ସେ ପୂର୍ବ ‘ଭୈୟା ଜୀ’ ଅବତାର ଗ୍ରହଣ କରିଛନ୍ତି, ଯାହାକୁ ସେ ତାଙ୍କ ପରଲୋକଗତ ପିତାଙ୍କ ଅନୁରୋଧକ୍ରମେ ଅତୀତରେ ତ୍ୟାଗ କରିଦେଇଥିଲେ। ‘ଭୈୟା ଜୀ’ ଚରିତ୍ରକୁ ‘ରବିନ୍ହୁଡ୍ର ବାପ’ ବୋଲି ବ୍ୟାଖ୍ୟା କରାଯାଇଥିଲେ ହେଁ ସେହି ବ୍ୟାଖ୍ୟାନକୁ ବିଶ୍ବସନୀୟ କରିବା ଭଳି ଯଥେଷ୍ଟ ମସଲା ନାହିଁ। ଭୈୟା ଜୀ ଫାଉଡ଼ା ଧରି ଘରୁ ବାହାରିଯିବା ମାତ୍ରେ ଗାଁ ଯାକର ଲୋକେ ତାଙ୍କ ସପକ୍ଷରେ ଲଢ଼ିବାକୁ ତୁରନ୍ତ ପ୍ରସ୍ତୁତ ହୋଇଯିବା ଘଟଣା ଆକାଶରୁ ଖସିପଡ଼ିଥିବା ଏକ ଦୃଶ୍ୟ ଭଳି ମନେ ହୁଏ। ପ୍ରଥମାର୍ଦ୍ଧରେ କେତେକ ରହସ୍ୟ ଉନ୍ମୋଚନ ହେବା ଆଶାରେ ଦର୍ଶକର ଆଗ୍ରହ ଉଜ୍ଜୀବିତ ରହେ।