୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଟୁଟୁ ନାୟକ
ଭୁବନେଶ୍ବର: ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଫିଲ୍ମ ପ୍ରଯୋଜକ ସଂଜୟ ନାୟକ ଗିରଫ ହେବା ପରେ ଜେଲ ଯିବାକୁ ପଡ଼ିଛି। ଭୁବନେଶ୍ବର ଏସ୍ଜିଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଟୁଟୁ ନାୟକଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏହି ସମୟ ମଧ୍ୟରେ ସେ ଝାରପଡ଼ା ଜେଲରେ ରହିବେ। ଏହି ମାମଲାରେ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ଆସନ୍ତା ୬ ତାରିଖ ଦିନ ପୁନଃ ଶୁଣାଣି ହେବ। ସରକାରୀ ଓକିଲ ଏହି ସୂଚନା ଦେଇଛନ୍ତି। ଟୁଟୁ ନାୟକଙ୍କୁ କମିସନରେଟ୍ ପୁଲିସ ଆଜି ଗିରଫ କରିଥିଲା। ଗିରଫ ପୂର୍ବରୁ ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ ତାଙ୍କର ଭୁବନେଶ୍ବର ଘରୁ ଉଠାଇ ଆଣି ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲା। ପରେ ଅଭିଯୁକ୍ତ ଶ୍ରୀ ନାୟକଙ୍କୁ କୋର୍ଟରେ ହାଜର କରିଥିଲା। ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଓ ଦୁର୍ବ୍ୟବହାର କରିବା ଭଳି ସଂଗିନ ଅଭିଯୋଗ ଆସିବା ପରେ ପୁଲିସ ଟୁଟୁ ନାୟକଙ୍କ ବିରୋଧରେ ପୁଲିସ କେସ୍ ନଂ-୫୫୩ରେ ଦଫା ୩୪୧, ୩୨୩, ୩୫୪ ଓ ୨୯୪ରେ ମାମଲା ରୁଜୁ କରିଥିଲା।