ବର୍ଷିଆନ୍ ଅଭିନେତା ସମୀର ଖାଖର୍ ଆଉ ନାହାନ୍ତି

ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର। ବର୍ଷିଆନ୍ ଅଭିନେତା ସମୀର ଖାଖର୍ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ତାଙ୍କର ଆଜି ଦେହାନ୍ତ ହୋଇଛି। ଏନେଇ ସମୀରଙ୍କ ଭାଇ ଗଣେଶ ସୂଚନା ଦେଇଛନ୍ତି।୮୦ ଦଶକର ଦୂରଦର୍ଶନର ସିରିଏଲ୍ ‘ନୁକ୍କଡ୍‌’ରେ ଖୋପ୍‌ଡୀ ଭୂମିକାରେ ଅଭିନୟ କରି ଅଭିନେତା ସମୀର ଖାଖର୍ ବେଶ୍ ସୁନାମ ଅର୍ଜନ କରିଥିଲେ। ବେଶ୍ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଗତକାଲି ସକାଳୁ ସେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ମୁମ୍ବାଇ ବୋରିୱଲି ସ୍ଥିତ ଏମ୍‌ଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ରଖାଯାଇଥିଲା। ଏହାପରେ ତାଙ୍କର ଏକାଧିକ ଅର୍ଗାନ ଫେଲ୍ ହୋଇଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଜି ଭୋର ୪.୩୦ରେ ତାଙ୍କର ଦେହାନ୍ତ ହୋଇଥିଲା। ବୋରିବାଲିସ୍ଥି ବାଭାଇ ନାକା ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।ସେପଟେ ଏହି ବର୍ଷିଆନ୍ ଅଭିନେତାଙ୍କ ଦେହାନ୍ତ ପରେ ବି-ଟାଉନରେ ଶୋକରଛାୟା ଖୋଳିଯାଇଛି।  ଅନେକ ସେଲେବ୍ରିଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।