ସେବାରେ କିଛି ବୃତ୍ତିଗତ ସମୟ ବିନିଯୋଗ କରିବା ଲାଗି ଆଇନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଆଇନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଯୋଗ୍ୟ ଆଇନଜୀବୀମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ । ଏହା ଦର୍ଶାଉଛି ଯେ, ସେହି ପିଢ଼ିର ବହୁସଂଖ୍ୟକ ଆଇନଜୀବୀଙ୍କ ପାଖରେ ଦେଶ ପାଇଁ ବଳିଦାନର ଭାବନା ରହିଥିଲା।

ମଧୁ-ବାରିଷ୍ଟର ନାମରେ ଖ୍ୟାତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରି ରାଷ୍ଟ୍ରପତି କହିଥିଲେ ଯେ, ତାଙ୍କର ଜୟନ୍ତୀକୁ ଓଡ଼ିଶାରେ ‘ଆଇନ ଦିବସ’ ଭାବେ ପାଳନ କରାଯାଉଛି । ସେ କହିଥିଲେ ଯେ, ଓଡ଼ିଶାବାସୀଙ୍କ ପାଇଁ ‘ମହାତ୍ମା ଗାନ୍ଧୀ’ ଏବଂ ‘ମଧୁ ବାରିଷ୍ଟର’ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇଜଣ ସବୁଠୁ ସମ୍ମାନନୀୟ ବ୍ୟକ୍ତିତ୍ୱ। ସେମାନଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଇନଜୀବୀମାନେ ଏକ ପ୍ରଗତିଶୀଳ ଓ ପରସ୍ପର ସହ ଯୋଡ଼ି ହୋଇଥିବା ସମାଜ ଗଠନ ପାଇଁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଆଦର୍ଶକୁ ବଜାୟ ରଖିଥିଲେ । ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ଆଦର୍ଶ ପାଳନରେ ଦୃଢ଼ ରହିବା ପାଇଁ ପରାମର୍ଶ ଦେଇଥିଲେ । ରାଷ୍ଟ୍ରର ପ୍ରାଥମିକତା ପ୍ରତି ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି ସେମାନଙ୍କୁ କହିଥିଲେ। ରାଷ୍ଟ୍ରୀୟ ପ୍ରାଥମିକତାରେ ଯୋଗଦାନ ଦେବା ନିମନ୍ତେ ସଚେତନ ପ୍ରୟାସ କରିବା ପାଇଁ ରାଷ୍ଟ୍ରପତି ସେମାନଙ୍କୁ ଆହ୍ୱାନ କରି କହିଥିଲେ।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ଆଦର୍ଶ ବାକ୍ୟ ‘ସତ୍ୟେ ସ୍ଥିତୋ ଧର୍ମଃ’ ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ ଯେ ଏହାର ଅର୍ଥ ହେଉଛି, ଧର୍ମ ଦୃଢ଼ତାର ସହିତ ସତ୍ୟରେ ନିହୀତ ରହିଛି । ପ୍ରାଚୀନ ଭାରତରେ ନ୍ୟାୟାଳୟକୁ ପରିଭାଷିତ କରିବା ଲାଗି ମୁଖ୍ୟତଃ ବ୍ୟବହାର କରାଯାଉଥିବା ଦୁଇଟି ଶବ୍ଦ ହେଲା – ‘ଧର୍ମସଭା’ ଏବଂ ‘ଧର୍ମାଧିକରଣ’। ଆଜିର ଆଧୁନିକ ଭାରତରେ, ଆମର ଧର୍ମ ଭାରତର ସମ୍ବିଧାନରେ ରହିଛି, ଯାହାକି ଏ ଭୂଖଣ୍ଡର ସର୍ବୋଚ୍ଚ ଆଇନ । ସମ୍ପୂର୍ଣ୍ଣ ଆଇନ ଜଗତ, ବିଶେଷ କରି ଆଜି ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଯୁବ ଛାତ୍ରଛାତ୍ରୀ ସମ୍ବିଧାନକୁ ସେମାନଙ୍କର ପବିତ୍ର ଗ୍ରନ୍ଥ ଭାବେ ମାନିବା ଉଚିତ୍‌ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ସାଥୀ ନାଗରିକମାନଙ୍କୁ ସହାୟତା କରିବା ସ୍ଥିତିରେ ଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଦେଶର ମହିଳାଙ୍କ ସମେତ ଆମ ଜନସଂଖ୍ୟାର ସବୁଠୁ ଦୁର୍ବଳ ବର୍ଗଙ୍କୁ ସମାନ ସୁଯୋଗ ଓ ସମ୍ମାନ ପ୍ରଦାନ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍‌ । ଆମ ଦେଶର ବହୁସଂଖ୍ୟକ ପଛୁଆ ଓ ବଞ୍ଚିତ ନାଗରିକମାନେ ନିଜର ଅଧିକାର ଓ ହକ୍‌ ବିଷୟରେ ଅନଭିଜ୍ଞ ଅଛନ୍ତି । ସେମାନଙ୍କ ପାଖରେ ସହାୟତା କିମ୍ବା ନ୍ୟାୟ ପାଇବା ଲାଗି ଆବଶ୍ୟକ ସମ୍ବଳର ଅଭାବ ମଧ୍ୟ ରହିଛି । ଏଭଳି ବଞ୍ଚିତ ଓ ପଛୁଆ ବର୍ଗଙ୍କ ସେବାରେ ନିଜର କିଛି ବୃତ୍ତିଗତ ସମୟ ବିନିଯୋଗ କରିବା ଲାଗି ଆଇନ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଆହ୍ୱାନ କରିଥିଲେ। ପ୍ରକୃତ କରୁଣା ଭାବନା ନେଇ ଗରିବ ଓ ଦୁର୍ବଳ ଲୋକଙ୍କୁ ସହାୟତା କରିବା ଲାଗି ନିଜ ବୃତ୍ତିଗତ କାର୍ଯ୍ୟର ଅଳ୍ପ କିଛି ସମୟ ବିନିଯୋଗ କରିବା ପାଇଁ ଶ୍ରୀମତୀ ମୁର୍ମୁ ସେମାନଙ୍କୁ ନିବେଦନ କରିଥିଲେ। ସେଥିପାଇଁ ବାସ୍ତବରେ କୁହାଯାଇଛି ଯେ, ଆଇନ କେବଳ ଏକ ପେସା ନୁହେଁ, ଏହା ଏକ ଆହ୍ୱାନ, ରାଷ୍ଟ୍ରପତି ଶେଷରେ କହିଥିଲେ ।

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ  ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଡାକ୍ତରୀ ପେସା ହେଉଛି ସେବାର ଏକ ସଂକଳ୍ପ। ସେବା ପ୍ରତି ନିଷ୍ଠା ଏବଂ ସମାଜ ପାଇଁ ପ୍ରତିବଦ୍ଧତା ନଥିଲେ ଜଣେ ଭଲ ଡାକ୍ତର ହୋଇପାରିବେ ନାହିଁ । ରାଷ୍ଟ୍ରପତି କହିଛନ୍ତି, ଯେକୌଣସି ସମାଜ ପାଇଁ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି କହିଛନ୍ତି ଯେ, ଚିକିତ୍ସା ବିଜ୍ଞାନର ଅଗ୍ରଗତି ସହିତ, ଆମେ ମୂଲ୍ୟବାନ ଜୀବନରକ୍ଷାରେ ସକ୍ଷମ ହୋଇପାରିଛୁ । ଗବେଷଣା ଉପରେ ଧ୍ୟାନ ଦେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ପୁରୁଣା ଔଷଧ ପାଇଁ ସୁପାରିସ କରିବା ସହିତ ନୂଆ ଔଷଧ ବିକଶିତ କରିବା ମଧ୍ୟ ଜରୁରୀ । ସେ ଆହୁରି କହିଛନ୍ତି ଯେ, ଗବେଷଣା ଭାରତୀୟ ଚିକିତ୍ସା ବିଜ୍ଞାନୀମାନଙ୍କୁ ଏକ ନୂଆ ପରିଚୟ ଦେବ ।

ଛୋଟ  ଡାକ୍ତରଖାନାରୁ ଆରମ୍ଭ ହୋଇ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ପରିଣତ ହେବା ନେଇ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହି ଡାକ୍ତରଖାନା କେବଳ ଓଡ଼ିଶାବାସୀଙ୍କୁ ନୁହେଁ ବରଂ ପୂର୍ବ ଭାରତର ଅନ୍ୟ ରାଜ୍ୟରୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି । ସେ କହିଛନ୍ତି ଯେ, ଏହି ଡାକ୍ତରୀ ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀ ସେମାନଙ୍କ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ହାସଲ କରିବା ସହିତ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ବିଭିନ୍ନ ଭାଗରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଦେଶ ପାଇଁ ଗୌରବ ଆଣିପାରିଛନ୍ତି । ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆଗକୁ ମଧ୍ୟ ମାନବତାର ସେବା ଜାରି ରଖିବା ସହିତ ରାଷ୍ଟ୍ରର ଗୌରବ ବଢ଼ାଇବାରେ ସକ୍ଷମ ହୋଇପାରିବେ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଥିଲେ ।