ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଚାଲିଲାଣି । ଏହି ପରି ଭୟଙ୍କର ସ୍ଥିତିରେ ଲକ୍ଡାଉନ ହେବାକୁ ନେଇ ଯେଉଁ ଚିନ୍ତା ସାଧାରଣ ଲୋକଙ୍କୁ ଘାରୁଥିଲା ତା ଉପରେ ପୂର୍ଣ୍ଣଛେଦ ପଡିଛି । ଗତକାଲି ହୋଇଥିବା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଏକଥା ସ୍ପଷ୍ଟ ହୋଇଛି । କରୋନା ମୁକାବିଲା ସହ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ଗତିବିଧି ଉପରେ ଫୋକସ୍ କରିଛନ୍ତି ।
କରୋନା ବେଳେ ଯେଭଳି ଅର୍ଥନୈତିକ କାର୍ଯ୍ୟକଳାପ ସହ ଜୀବିକା ଯେଭଳି ପ୍ରଭାବିତ ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କାରଣ ଜୀବନ ସହ ଜୀବିକା ବି ନିହାତି ଆବଶ୍ୟକ । ଲୋକାଲ୍ କଣ୍ଟେନମେଣ୍ଟ ଜରିଆରେ ମୁକାବିଲା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, କରୋନା ବିରୋଧୀ ଲଢ଼େଇରେ ସବୁଠୁ ବଡ଼ ଅସ୍ତ୍ର ହେଉଛି ଟିକା । ସେହିପରି ପାରମ୍ପରିକ ଘରୋଇ ଉପଚାର ବି ଉପଯୋଗୀ ହୋଇପାରିବ । ତୃତୀୟ ଲହର ମୁକାବିଲା ପାଇଁ ମେଡିକାଲ୍ ଭିତ୍ତିଭୂମିର ବୃଦ୍ଧି କରାଯାଇଛି । ଓମିକ୍ରନକୁ ନେଇ ଦେଶବାସୀଙ୍କୁ ସତର୍କ କରାଇଛନ୍ତି ମୋଦି । ଚଳିତ ମାସରେ ଦେଶରେ ସଂକ୍ରମଣ ଅଢ଼େଇ ଲକ୍ଷ ମୁହାଁ ହୋଇଛି ।