ନୂଆ ବର୍ଷରେ ପିଲାଙ୍କୁ କୋଭିଡ୍ ଟୀକା
ମେଟ୍ରୋ ଟିଭି ବ୍ୟୁରୋ,୨୬/୧୨: ନୂଆ ବର୍ଷ ଜାନୁଆରୀ ୩ ତାରିଖରୁ ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ପ୍ରତିଷେଧକ ଟୀକା ପ୍ରଦାନ କରାଯିବ । ଏହାସହ ଜାନୁଆରୀ ୧୦ ତାରିଖରୁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ବୁଷ୍ଟର ଡୋଜ୍ ଟୀକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନାର ନୂଆ ଭାଇରସ ଓମିକ୍ରନ୍କୁ ନେଇ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବା ସହ କୋଭିଡନିୟମକୁ ମାନିବାକୁ ମୋଦି ପରାମର୍ଶ ଦେଇଛନ୍ତି ।
ଓମିକ୍ରନ୍ ବିଭିନ୍ନ ଦେଶରେ ବ୍ୟାପିବା ସହ ଭାରତରେ ମଧ୍ୟ ଏହାର ମାମଲା ଚିହ୍ନଟ ହେଲାଣି । ବର୍ତ୍ତମାନ ଦେଶରେ ୧୮ଲକ୍ଷ ଆଇସୋଲେସନ ବେଡ,୫ଲକ୍ଷ ଅକ୍ସିଜେନ ବେଡ, ୧.୪ଲକ୍ଷ ଆଇସିୟୁ ବେଡ ଓ ପିଲାମାନଙ୍କ ପାଇ ୯୦ ହଜାର ସ୍ୱତନ୍ତ୍ର ବେଡ ରହିଛି । ଏହା ସହ ଦେଶରେ ୩ହଜାର ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟ ରହିଛି । ସବୁ ରାଜ୍ୟକୁ ୪ଲକ୍ଷ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଯୋଗାଇ ଦିଆଯିଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି , କରୋନା ମହାମାରୀ ଆଦୌ ଯାଇନାହିଁ । ଟୀକା ନେବା ସହ କୋଭିଡର ନିୟମ ମାନିବା କରୋନା ବିରୋଧୀ ଲଢେଇର ମୁଖ୍ୟ ଆୟୁଧ । ଏପର୍ଯ୍ୟନ୍ତ ଦେଶରେ ୧୪୧ କୋଟିରୁ ଅଧିକ ଡୋଜ୍ ଟୀକା ପ୍ରଦାନ କରାଯାଇସାରିଲାଣି । ୯୦ପ୍ରତିଶତରୁ ଅଧିକ ବ୍ୟକ୍ତି ପ୍ରଥମ ଡୋଜ୍ ଟୀକା ନେଇ ସାରିଲେଣି । ୧୨ ରୁ ୧୮ ବର୍ଷର ବୟସର ପିଲାଙ୍କୁ ଭାରତ ବାୟୋଟେକ ପକ୍ଷରୁ କୋଭିଡ ପ୍ରତିଷେଧକ ଟୀକା କୋଭାକ୍ସିନ ପ୍ରଦାନ କରାଯିବ । ପ୍ରଥମ ଟୀକା ଭାବେ ଜାୟଡସ କ୍ୟାଡିଲା ଟୀକା ଜାଇକୋଭ-ଡିକୁ ୧୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦେବା ଲାଗି ଡିସିଜିଆଇ ଅନୁମତି ମିଳିଛି । ଏହା ୩ ଡୋଜ୍ ବିଶିଷ୍ଟ ହୋଇଥିବା ବେଳେ ବିନା ସିରିଞ୍ଜରେ ପିଲାଙ୍କୁ ଦିଆଯାଇପାରିବ ।