ଆଜିଠୁ ଦେଶରେ ଦିଆଯାଉଛି ପ୍ରିକସନ ଡୋଜ୍
ମେଟ୍ରୋ ଟିଭି ଓଡିଶା,୧୦/୧: କରୋନାର କାୟା ଯୋଗୁ ଆଜିଠୁ ଦେଶରେ କୋଭିଡର ପ୍ରିକସନ ଡୋଜ୍ ଦିଆଯିବ । କରୋନା ମହାମାରୀ ନ ବ୍ୟାପିବା ପାଇ ଏହି ଡୋଜ୍ ଦିଆଯାଉଛି । ଏହି ଡୋଜ୍ ସଂକ୍ରମଣର ମାତ୍ରାକୁ ରୋକିପାରିବ । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ଓ୍ଵାର୍କର ଓ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଏହି ପ୍ରିକସନ ଡୋଜ୍ ଦିଆଯିବ । ପ୍ରଥମେ ଏହାକୁ ବୁଷ୍ଟର ଡୋଜ୍ କୁହାଯାଉଥିଲେ ଏବେ ଏହାକୁ ପ୍ରିକସନ ଡୋଜ୍ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ବିଏମ୍ସି ଅଞ୍ଚଳରେ ୪ହଜାରରୁ ଅଧିକ ସ୍ଲଟ ବୁକିଂ ହୋଇସାରିଛି। ଯେଉଁମାନେ ଅତି କମରେ ୯ ମାସ ତଳେ ଦ୍ୱିତୀୟ ଡୋଜ୍ ଟିକା ନେଇଥିବେ ସେମାନେ ହିଁ ଏହି ପ୍ରିକସନ ଡୋଜ୍ ନେବାକୁ ଯୋଗ୍ୟ ବିବେଚିତ ହେବେ।ପ୍ରିକସନ ଡୋଜ୍ ନେବା ପାଇଁ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ କୌଣସି ଡାକ୍ତରୀ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବନି। ଡାକ୍ତରଙ୍କ ପରାମର୍ଶରେ ପ୍ରିକସନ ଡୋଜ୍ ନେଇ ପାରିବେ। ଯେଉଁମାନେ ଦ୍ୱିତୀୟ ଡୋଜ୍ ନେଇଥିବେ ଏବଂ ୯ ମାସ ସମୟ ହୋଇଯାଇଥିବ ସେମାନଙ୍କୁ ପ୍ରିକସନ ଡୋଜ୍ ପାଇଁ ଅଗ୍ରାଧିକାର ଦିଆଯିବ । ରାଜ୍ୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ୬୦ ଲକ୍ଷ ୩୭ ହଜାର ଲୋକ ଥିବା ବେଳେ ୭ ଲକ୍ଷ ୫ ହଜାର ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଅଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ସମ୍ମୁଖ ଯୋଦ୍ଧାଙ୍କୁ ୫୬ହଜାର ୩୨୯ ପ୍ରଥମ ଓ ୫୧ ହଜାର ୧୩୫ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି। .. ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭିଡ୍ ଟିକା ଦିଆଯାଉଛି ।