ସାରା ଓଡ଼ିଶା ଏବେ ଜ୍ବରରେ ଥରୁଛି

ଭୁବନେଶ୍ବର: ସାରା ଓଡ଼ିଶା ଏବେ ଜ୍ବରରେ ଥରୁଛି। ଇନ୍‌ଫ୍ଲୁଏଞ୍ଜା (ଏଚ୍‌୩ଏନ୍‌୨), ରେସ୍ପିରେଟୋରି ସିନ୍‌ସିଟିଆଲ ଭାଇରସ୍ (ଆରଏସ୍‌ଭି) ଓ ହ୍ୟୁମାନ ପାରାଇନ୍‌ଫ୍ଲୁଏଞ୍ଜା ଭାଇରସ୍(ଏଚ୍‌ପିଆଇଭି) ରାଜ୍ୟକୁ ଗତ ୧ମାସ ହେବ କବଳିତ କରି ରଖିଛି। ଏହାସାଙ୍ଗକୁ ସ୍ବାଇନ୍ ଫ୍ଲୁ ମଧ୍ୟ ଚିନ୍ତା ବଢ଼ାଇଛି। ଘରେ ଘରେ ଲୋକମାନେ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଏହାକୁ କୋଭିଡ୍‌ ଭାବି ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ମାତ୍ର ଏହା କୋଭିଡ୍ ନୁହେଁ, ବରଂ ଭାଇରାଲ ଫିଭର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହାସହ ଯେଉଁମାନେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ଶରୀରରେ ଦୀର୍ଘଦିନ ପର୍ଯ୍ୟନ୍ତ କାଶ ଲାଗି ରହୁଥିବା ଦେଖିବାକୁ ମିଳୁଛି।
ଋତୁ ପରିବର୍ତ୍ତନ ଫଳରେ ସାଧାରଣତଃ ଭୂତାଣୁଜନିତ ସଂକ୍ରମଣ ବଢ଼ିଥାଏ। ବିଶେଷକରି ଗୀଷ୍ମ ଓ ଶୀତ ଋତୁରେ ଅଧିକ ସଂଖ୍ୟାରେ ଲୋକମାନେ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ଗତ ୨ବର୍ଷ ହେବ କୋଭିଡ୍‌ ମହାମାରୀ ବ୍ୟାପିଥିବାରୁ ଭାଇରାଲ ଫିଭର ଉପରେ ସେତେଟା ଗୁରୁତ୍ବ ନ ଥିଲା। କୋଭିଡ୍‌ ଥମିବା ପରେ ଚଳିତବର୍ଷ ଭାଇରାଲ ଫିଭର ବଢ଼ିବାରେ ଲାଗିଛି। ପରିବାରର ଜଣେ ଏଥିରେ ଆକ୍ରାନ୍ତ ହେଲେ ଅନ୍ୟମାନେ ଜ୍ବରରେ ପଡ଼ୁଛନ୍ତି। ବୟସ୍କମାନେ ଧଇଁସଇଁ ହୋଇ ପଡ଼ୁଛନ୍ତି। ତଥାପି ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ମିଳି ନ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।