ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି

ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଏଚ୩ଏନ୨ ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭାଇରସରେ ପ୍ରାୟ ୯୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏଚ୧ଏନ୧ ଭାଇରସ ମଧ୍ୟ ୮ ଜଣଙ୍କ ଶରୀରରୁ ଠାବ ହୋଇଛି। ବିଗତ କିଛି ମାସ ହେଲାଣି ଦେଶରେ ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସଂକ୍ରମଣ ଏଚ୩ଏନ୨ ଭାଇରସ ଦ୍ୱାରା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।
ଏହି ଭାଇରସ ହଂକଂହଂକଂ ଫ୍ଲୁ ଭାବେ ମଧ୍ୟ ଜଣାଶୁଣା। ଇନଫ୍ଲୁଏଞ୍ଜା ଏ ସବଟାଇପ ହେଉଛି ଏଚ୩ଏନ୨ ଭାଇରସ। ଅନ୍ୟ ସବ ଟାଇପ ଅପେକ୍ଷା ଏଚ୩ଏନ୨ ଭାଇରସ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ ମତରେ ବିଗତ ୨ରୁ ୩ ମାସ ହେଲାଣି ଏଚ୩ଏନ୨ ଭାଇରସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଥିପାଇଁ ଲୋକମାନେ ଫ୍ଲୁ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି।