କିଏ ହେବେ ଟାଟାଙ୍କ ଉତ୍ତରାଧିକାରୀ ? ଶାନ୍ତୁନଙ୍କୁ ନେଇ ଚର୍ଚ୍ଚା!

ରତନ ଟାଟାଙ୍କ ପରଲୋକ ପରେ ଟାଟା ଟ୍ରଷ୍ଟ୍‌ର କିଏ ହେବେ ଅଧ୍ୟକ୍ଷ ? ଏହାକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି ।  ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ତାଙ୍କ ସାବତ ଭାଇ ନୋଏଲ ଏନ୍‌ ଟାଟା। କିନ୍ତୁ ସୋସିଆଲ ମିଡିଆରେ ଯାହାଙ୍କ ନାମଙ୍କୁ ନେଇ ବେଶୀ ଚର୍ଚା ହେଉଛି ସେ ହେଉଛନ୍ତି ଶାନ୍ତନୁ ନାଇଡୁ । ରତନ ଟାଟାଙ୍କ ବ୍ୟକ୍ତିଗତ ସହାୟକ ଥିବା ଶାନ୍ତନୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କିଏ ସେ ଶାନ୍ତନୁ

ଶାନ୍ତନୁ ଏପରି ଜଣେ ଯୁବକ ଯିଏ ରତନ ଟାଟାଙ୍କ ଜୀବନରେ ଛାଇ ହୋଇ ରହିଥିଲେ । ବିଭିନ୍ନ ପ୍ରସଙ୍ଗରେ ଦିବଙ୍ଗତ ରତନ ଟାଟାଙ୍କୁ ପରାମର୍ଶ ଦେଉଥିଲେ ।  ଶାନ୍ତନୁ ନାଇଡୁ ଯିଏ ଦୀର୍ଘ ସମୟ ପର୍ଯ୍ୟନ୍ତ ରତନ ଟାଟାଙ୍କ ବ୍ୟକ୍ତିଗତ ସହାୟକ ଥିଲେ।  ଶାନ୍ତନୁଙ୍କର ଟାଟା ପରିବାର ସହିତ କୌଣସି ସମ୍ପର୍କ ନଥିଲେ ମଧ୍ୟ ସେ ସଦାବେଳେ ତାଙ୍କ ପାଖାପାଖି ରହୁଥିଲେ । ଅନେକ ଫଟୋରୁ ଦୁଇଜଣ ବନ୍ଧୁ ବୋଲି ମନେ ହୋଇଥାଏ । ତେବେ ନିଜେ ରତନ ଟାଟା ଫୋନ କରି ଶାନ୍ତନୁଙ୍କୁ ତାଙ୍କ ସହିତ କାମ କରିବାକୁ ନିମନ୍ତ୍ରଣ କରିଥିଲେ।

ଶାନ୍ତନୁଙ୍କୁ ରତନ ଟାଟାଙ୍କୁ ଫୋନ କରି କହିଥିଲେ ‘ଆପଣଙ୍କ କାମ ମୋତେ ପସନ୍ଦ ହୋଇଛି । ଆପଣଙ୍କ କାମରେ ମୁଁ ବେଶ୍ ପ୍ରଭାବିତ, ଆପଣ ମୋ ଆସିଷ୍ଟାଣ୍ଟ ହେବାକୁ ଚାହିଁବେ କି’? ଶାନ୍ତନୁ ଜଣେ ପଶୁ ପ୍ରେମୀ, ସେ ବୁଲା କୁକୁରଙ୍କ ଲାଗି ଏକ ରିଫ୍ଲେକ୍ଟର ‘ଡଗ କଲର’ ତିଆରି କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ବୁଲା କୁକୁରଙ୍କୁ ସଡ଼କ ଦୁର୍ଘଟଣାରୁ ରକ୍ଷା କରିବା। କାରଣ ବାହନ ଚଳାଇବା ବେଳେ ଡ୍ରାଇଭରଙ୍କ ନଜର ସଡକରେ କୁକୁରଙ୍କ ଉପରେ ପଡି ନଥାଏ। ଶାନ୍ତନୁ ତିଆରି କରିଥିବା ଡଗ କଲର କୁକୁରଙ୍କ ଗଳାରେ ଲାଇଟ ସୃଷ୍ଟି କରୁଥିବାରୁ ଡ୍ରାଇଭର ସେମାନଙ୍କ ଗାଡ଼ି ସ୍ଲୋ କରିଥାନ୍ତି । ଯାହାକୁ ରତନ ଟାଟା ପସନ୍ଦ କରିଥିଲେ । ଶାନ୍ତନୁ  ଜୁନ ୨୦୧୭ରୁ ଟାଟା ଟ୍ରଷ୍ଟରେ କାମ କରୁଛନ୍ତି। ସେ ରତନ ଟାଟାଙ୍କୁ ଷ୍ଟାର୍ଟଅପରେ ନିବେଶ ଭଳି ପ୍ରସଙ୍ଗରେ ବି ପରାମର୍ଶ ଦେଉଥିଲେ। ତେବେ ରତନ ଟାଟାଙ୍କ ବିୟୋଗ ପରେ ଅଧିକାଂଶ ଲୋକ ନାଇଡୁଙ୍କୁ ଟାଟାଙ୍କ ଉତ୍ତରାଧିକାରୀ ହେବା ନେଇ ଚର୍ଚା କରୁଛନ୍ତି । କିନ୍ତୁ ଶାନ୍ତନୁଙ୍କ ବୟସ କମ ଅଛି । ସେ ସେତେ ଅଭିଜ୍ଞ ନୁହଁନ୍ତି । ତେଣୁ ତାଙ୍କୁ ଏତେ ବଡ଼ କଂପାନିର ବୁଝିବା ଦାୟିତ୍ବ ଏବେ ନମିଳିପାରେ ।

ତେବେ କମ୍ପାନୀର ଉତ୍ତରାଧିକାରୀ ଭାବରେ ନୋଏଲ ଟାଟାଙ୍କ ନାମକୁ ନାମାଙ୍କିତ କରାଯାଇପାରେ । ଏ ନେଇ  କମ୍ପାନୀର ବୈଠକ ବସିଛି । ସିଏ ହିଁ ମୁଖ୍ୟ ଭୂମିକାରେ ରହି ପାରନ୍ତି । ମେହଲୀ ମିସ୍ତ୍ରୀ ମଧ୍ୟ ବୋର୍ଡରେ ରହିବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଟାଟା ଟ୍ରଷ୍ଟ ଅନ୍ତରୀଣ ଅଧ୍ୟକ୍ଷ ପାଇଁ ଜଣକୁ ନିଯୁକ୍ତି ଦେବ । ଏହି ତାଲିକାରେ ଦୁଇ ଜଣ ଉପାଧ୍ୟକ୍ଷ ବେଣୁ ସ୍ରିନିବାସନ୍ ଏବଂ ବିଜୟ ସିଂହ ଙ୍କ ନାମ ରହିଛି ।

କିଏ ସେ ନୋଏଲ ଟାଟା

୬୭ ବର୍ଷୀୟ ନୋଏଲ ହେଉଛନ୍ତି ନଭଲ ଏଚ୍‌ ଟାଟା ଏବଂ ସିମୋନ ଏନ୍‌ ଟାଟାଙ୍କ ପୁଅ। ଟାଟା ଟ୍ରଷ୍ଟ ହେଉଛି ଦେଶର ଏକ ବଡ଼ ଦାତବ୍ୟ ପ୍ରତିଷ୍ଠାନ। ୧୬୫ ବିଲିଅନ ଡଲାର ବିଶିଷ୍ଟ ଟାଟା ଗ୍ରୁପ୍‌ର ସଂଖ୍ୟାଗରିଷ୍ଠ ମାଲିକ ହେଉଛି ଏହି ଟ୍ରଷ୍ଟ। ରତନ ଟାଟା ତାଙ୍କ ଜୀବଦଶାରେ ଉତ୍ତରାଧିକାରୀ ଚୟନ କରି ନଥିବାରୁ ନୂଆ ଅଧ୍ୟକ୍ଷଙ୍କୁ ଟ୍ରଷ୍ଟର ବୋର୍ଡ ନିଯୁକ୍ତି ଦେବ। ଏହି ଟ୍ରଷ୍ଟରେ ଦୁଇଟି ମୂଳ ସଂସ୍ଥା ହେଉଛି ସାର୍‌ ଦୋରାବ୍‌ଜୀ ଟ୍ରଷ୍ଟ ଏବଂ ସାର୍‌ ରତନ ଟାଟା ଟ୍ରଷ୍ଟ। ଟାଟା ସନ୍ସରେ ଏହି ଦୁଇଟି ସଂସ୍ଥାର ପ୍ରାୟ ୫୨ ପ୍ରତିଶତ ଅଂଶଧନ ରହିଛି। ନୋଏଲ ନିଯୁକ୍ତ ହେଲେ ପାର୍ସି ସମୁଦାୟ ଖୁସି ହେବେ ଏବଂ ଏଥିସହିତ ଦାତବ୍ୟ ଅନୁଷ୍ଠାନକୁ ପ୍ରତିଷ୍ଠାତାଙ୍କ ପରିବାର ମଧ୍ୟରୁ କିଏ ଜଣେ ହେଲେ ଚଳାଇବେ ରତନ ଟାଟାଙ୍କ ଉତ୍ତରାଧିକାରୀ ତାଙ୍କ ସାବତ ଭାଇ ନୋଏଲ ଟାଟା ହୋଇଛନ୍ତି।

୬୭ ବର୍ଷୀୟ ନୋଏଲଙ୍କୁ ଟାଟା ଟ୍ରଷ୍ଟ୍‌ସର ଉତ୍ତରାଧିକାରୀଭାବେ ନିଯୁକ୍ତି ଦିଆଯିବାର ବେଶୀ ସଂଭାବନା ରହିଛି । ନୋଏଲ ଟାଟା ଏବେ ଟାଟା ଗ୍ରୁପ୍‌ର ଅନେକ କମ୍ପାନିର ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରୁଛନ୍ତି। ଟାଟା ଗ୍ରୁପ୍‌ରେ କାର୍ଯ୍ୟ କରିବାର ୪ ଦଶନ୍ଧିର ଅଭିଜ୍ଞତା ତାଙ୍କ ନିକଟରେ ରହିଛି। ତାଙ୍କ ନେତୃତ୍ବରେ ଟାଟା ଗ୍ରୁପ୍‌ କମ୍ପାନିଗୁଡ଼ିକ ବି‌ଶେଷ ସଫଳତା ହାସଲ କରିଛନ୍ତି।