ଚିନି ଦାମ୍ ସରକାରଙ୍କ ପାଇଁ ଚିନ୍ତାର କାରଣ
ନୂଆଦିଲ୍ଲୀ: ବର୍ଷା ଋତୁରେ ପରିବା ଦର ପରେ ଏବେ ଖାଦ୍ୟ ସାମଗ୍ରୀ ଦର ହୁତୁ ହୁତୁ ହୋଇ ବଢ଼ୁଛି । ଚାଉଳ, ଗହମ, ଅଟା, ଡାଲି, ଟମାଟୋ, ପିଆଜ ପରେ ଏବେ ଚିନି ଦାମ୍ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦେଶ ଭିତରେ ଚିନି ଦାମ୍ ଲୋକଙ୍କୁ ବାଧୁଛି । ଚିନି ମୂଲ୍ୟ ଛଅ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଚିନିର ଟନ୍ ପିଛା ଦାମ୍ ୩୭୭୬୦ ଟଙ୍କା ହୋଇଛି। ୨୦୧୭ ପରେ ପ୍ରଥମ ଥର ପାଇଁ ଚିନି ଦାମ୍ ଏଭଳି ସ୍ତରକୁ ବୃଦ୍ଧି ପାଇଛି। ଚିନି ଉତ୍ପାଦନ ୩.୩ ପ୍ରତିଶତ ହ୍ରାସ ପାଇ ୩୧.୭ ନିୟୁତ ଟନ୍ ହେବ ବୋଲି ଆଶଙ୍କା କରାଯାଉଛି। କାରଣ ଦେଶର ଅଧାରୁ ଅଧିକ ଚିନି ଉତ୍ପାଦନ କରୁଥିବା ଦୁଇ ରାଜ୍ୟ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କମ୍ ବର୍ଷା ଯୋଗୁଁ ଆଖୁ ଚାଷ ପ୍ରଭାବିତ ହୋଇଛି। ଆସନ୍ତା ଅକ୍ଟୋବରଠାରୁ ଚିନି ରପ୍ତାନି ଉପରେ କଟକଣା ଲଗାଇବା ବିଷୟରେ ସରକାର ବିଚାର କରୁଛନ୍ତି। ସାତବର୍ଷ ପରେ ପ୍ରଥମ ଥର ପାଇଁ ଏଭଳି କଟକଣା ଲାଗୁ କରାଯିବ।