ସାବିତ୍ରୀ -କୌଣସି ଫଳର ଦରରେ ସ୍ଥିରତା ନାହିଁ

କୌଣସି ଫଳର ଦରରେ ସ୍ଥିରତା ନାହିଁ। ଯିଏ ଯାହା ପାରୁଛି, ଦର କଷୁଛି। ଯେହେତୁ ସାବିତ୍ରୀ ପାଇଁ ଲୋକଙ୍କର ଆବଶ୍ୟକତା ରହିଛି, ତେଣୁ ସେମାନେ ଉଚ୍ଚା ଦରରେ ଫଳ କିଣିବାକୁ ବାଧ୍ୟ ହେଉଛନ୍ତି। ଆଜି ରାଜଧାନୀର ଫଳ ବଜାରରେ ଖଚାଖଚ ଭିଡ଼ ଥିଲା। କଳ୍ପନା ଛକ, ଶ୍ରୀୟା ଛକ, ସତସଙ୍ଗବିହାର, ଏକନମ୍ବର, ଡେଲଟା ଛକ, ସିଆରପି ଛକ, ଡମଣା ଛକ ଆଦି ଅଞ୍ଚଳରେ ଥିବା ଫଳ ମାର୍କେଟଗୁଡ଼ିକରେ ବେଶି ଭିଡ଼ ଜମିଥିଲା। ସନ୍ଧ୍ୟା ସମୟ କିଛି ଜାଗାରେ ଏତେ ଭିଡ଼ ଜମିଲା ଯେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ପୁଲିସର ହସ୍ତକ୍ଷେପ ଲୋଡ଼ା ହୋଇଥିଲା। ସେପଟେ ଭିଡ଼କୁ ଦେଖି ବ୍ୟବସାୟୀମାନେ ଦର ମନଇଛା ବଢ଼ାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗହଳି ଲାଗି ରହିଥିଲା।ଏହାବାଦ୍‌ ସାବିତ୍ରୀର ଅନ୍ୟ ସାମଗ୍ରୀ କିଣିବା ପାଇଁ ୟୁନିଟ୍‌-୧, ୟୁନିଟ୍‌-୨ ମାର୍କେଟ ସମେତ ସହରର ବିଭିନ୍ନ ଅଞ୍ଚଳରେ ଥିବା ସ୍ଥାନୀୟ ଛୋଟ ମାର୍କେଟଗୁଡ଼ିକରେ ମଧ୍ୟ ଅସମ୍ଭାଳ ଗହଳି ହୋଇଥିଲା। ଶାଢ଼ୀ, ଚୁଡ଼ି ଦୋକାନରେ କାହିଁରେ କେତେ ଭିଡ଼ ଦେଖିବାକୁ ମିଳିଥିଲା। ପୂଜା କରିବା ପାଇଁ ସିନ୍ଦୁର, ଶଙ୍ଖା, ବ୍ରତ, ଆଇନା, କାଠ ପାନିଆ, ଶଙ୍ଖା, କଳାମାଳି, ଗୁଆ, ଅଳତା ଆଦିର ସ୍ୱତନ୍ତ୍ର ପୁଟୁଳି ବର୍ତ୍ତମାନ ରାଜଧାନୀରେ ଭାରି ଲୋକପ୍ରିୟ ହୋଇଗଲାଣି। ମାତ୍ର ୪୦ ଟଙ୍କାରେ ସମସ୍ତ ଏସବୁ ଜିନିଷ ମିଳି ଯାଉଥିବାରୁ ମହିଳାମାନେ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି। ହାତକୁ ସଜେଇବା ପାଇଁ ମେହେନ୍ଦି ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି। ମାର୍କେଟ ବିଲିଡିଂ ହେଉ ଅବା ବିଭିନ୍ନ ମଲ୍‌ରେ ମେହେନ୍ଦି ବ୍ୟବସାୟୀଙ୍କ ପସରା ଲାଗିଥିଲା। ଗୋଟେ ହାତକୁ ମେହେନ୍ଦି ଲଗାଇବାକୁ ୧୦୦ ଟଙ୍କା ଥିବାବେଳେ ଆରବିକ୍‌ ଡିଜାଇନ୍‌ ଲଗାଇବାକୁ ମହିଳାମାନେ ଖୁବ୍‌ ପସନ୍ଦ କରୁଥିଲେ।ହଠାତ୍‌ ଫଳଦର ବଢ଼ିଯାଇଥିବାରୁ କିଛି ସ୍ଥାନରେ ଫଳ ପୁଟୁଳି ମଧ୍ୟ ମିଳୁଥିଲା। ୧୦୦ ଟଙ୍କାରେ ପୁଟୁଳିରେ ନଡ଼ିଆ, କଦଳୀକୁ ବାଦ୍‌ ଦେଲେ ୧୨ ପ୍ରକାରର ଫଳ। ଏକନମ୍ବର ମାର୍କେଟର ଜଣେ ଫଳ ବ୍ୟବସାୟୀଙ୍କ କହିବା କଥା, ‘‘ଅନ୍ୟ ‌ରାଜ୍ୟ ବା ଓଡ଼ିଶାର ଦୂର ସ୍ଥାନରୁ ଆମଦାନୀ ହେଉଥିବାରୁ ପରିବହନ ଖର୍ଚ୍ଚକୁ ମିଶାଇ ଫଳଦର ଏଭଳି ଭାବେ ବୃଦ୍ଧି ପାଇଛି।