ଗତମାସରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ୨୦୨୪-୨୫ରେ ଏହି ଘୋଷଣା କରିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। କେବେଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ ତାହା ଘୋଷଣା ହୋଇ ନଥିବାରୁ ଏ ନେଇ ଲୋକଙ୍କ ମନରେ ଏବେ ବି ଉତ୍କଣ୍ଠା ରହିଛି।ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ଭତ୍ତା ରାଶିରେ ୫୦୦ ଟଙ୍କା ଲେଖାଏଁ ବୃଦ୍ଧି କରି ସର୍ବନିମ୍ନ ଭତ୍ତା ୧୦୦୦ ଟଙ୍କା କରିଥିଲେ। କିନ୍ତୁ ବିଜେପି କ୍ଷମତାକୁ ଆସିଲେ ୩୦୦୦ ଟଙ୍କା ଲେଖାଏଁ ଭତ୍ତା ଦେବ ବୋଲି ନିର୍ବାଚନ ସମୟରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା। ତେବେ ମୋହନ ମାଝୀ ବଜେଟ୍ରେ ପ୍ରଥମେ ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତ ବା ତଦୂର୍ଦ୍ଧ୍ବ ଦିବ୍ୟାଙ୍ଗ ବର୍ଗର ବ୍ୟକ୍ତିଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ପ୍ରଦାନ ନେଇ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଅନ୍ୟ ବୟସ ଓ ବର୍ଗର ବ୍ୟକ୍ତିଙ୍କ ପାଇଁ ବିଜେପି ସରକାର କେବେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବେ ତାହାକୁ ଲୋକମାନେ ଅପେକ୍ଷା କରି ରହିଛନ୍ତି। ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ୫୬ ଲକ୍ଷ ୭୭ ହଜାର ଲୋକ ମାସିକ ଭତ୍ତା ପାଉଛନ୍ତି। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି)ରେ ୨୦ ଲକ୍ଷ ୩୪ ହଜାର ଏବଂ ରାଜ୍ୟ ସରକାରଙ୍କ ନିଜସ୍ବ କାର୍ଯ୍ୟକ୍ରମ ମଧୁବାବୁ ପେନସନ ଯୋଜନାରେ ୩୬ ଲକ୍ଷ ୪୩ ହଜାର ବ୍ୟକ୍ତି ଭତ୍ତା ପାଉଛନ୍ତି। ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ବିଭିନ୍ନ ବର୍ଗର ଭତ୍ତା ରାଶିରେ ୫୦୦ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ। ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୧୪୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯାଉଥିଲା।ଚଳିତ ବଜେଟ୍ରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣାକୁ ଦେଖିଲେ ପାଖାପାଖି ୫ ଲକ୍ଷ ୨୭ ହଜାର ବ୍ୟକ୍ତିଙ୍କୁ ସରକାର ମାସିକ ୩୫୦୦ ଟଙ୍କା ଭତ୍ତା ଦେବାକୁ ପଡ଼ିବ ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। କାରଣ ମଧୁବାବୁ ପେନସନ ଯୋଜନାରେ ୮୦ ବର୍ଷରୁ ଅଧିକ ବର୍ଷ ଏବଂ ୮୦ ପ୍ରତିଶତ ଦିବ୍ୟାଙ୍ଗ ବର୍ଗର ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ୮୧ ହଜାର । ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଏମାନଙ୍କୁ ଭତ୍ତା ଦେଉଥିବାରୁ ଏ ବାବଦରେ ରାଜକୋଷରୁ ବାର୍ଷିକ ୧୧୮୦ କୋଟି ଖର୍ଚ୍ଚ କରିବାକୁ ପଡ଼ିବ। ସେହିଭଳି ଏନ୍ଏସ୍ଏପିରେ ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ବର୍ଗର ବ୍ୟକ୍ତିଙ୍କ ସଂଖ୍ୟା ପାୟ ୨ ଲକ୍ଷ ୪୬ ହଜାର । ଏମାନଙ୍କୁ କେନ୍ଦ୍ର ସରକାର ଭତ୍ତା ବାବଦରେ ମାସିକ ୫୦୦ ଟଙ୍କା ପ୍ରଦାନ କରୁଛନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ଏମାନଙ୍କ ପାଇଁ ଟପ୍ ଅପ୍ ବାବଦରେ ମୁଣ୍ଡପିଛା ମାସିକ ୩୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏ ବାବଦରେ ରାଜ୍ୟ ରାଜକୋଷରୁ ବାର୍ଷିକ ୮୮୬ କୋଟି ଟଙ୍କା ଖର୍ଚ୍ଚ ହେବ। ଉଭୟ ଯୋଜନାର ହିତାଧିକାରୀଙ୍କ ବାବଦରେ ରାଜ୍ୟ ସରକାରଙ୍କୁ ବର୍ଷକୁ ପ୍ରାୟ ୨୦୬୬ କୋଟି ଟଙ୍କା ବ୍ୟୟ କରିବାକୁ ହେବ।ତେବେ ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବା କଷ୍ଟସାଧ୍ୟ ହେବ। କାରଣ ପ୍ରତିବର୍ଷ ନୂଆ ଲୋକ ୮୦ ବର୍ଷ ବୟସ ବର୍ଗରେ ନୂଆକରି ସାମିଲ ହେଉଥିବାବେଳେ କିଛି ହିତାଧିକାରୀଙ୍କର ମୃତ୍ୟୁ ମଧ୍ୟ ହେଉଛି। ପଞ୍ଚାୟତସ୍ତରରେ ଯଦି ଏହି ତଥ୍ୟ ଠିକ୍ ସମୟରେ ରାଜ୍ୟ ସରକାରଙ୍କ ନିକଟକୁ ନଆସେ ତା’ହେଲେ ବଜେଟ୍ରେ ଏ ବାବଦରେ ଅର୍ଥ ବରାଦ କରିବା ସହଜ ହେବ ନାହିଁ ବୋଲି ସାମାଜିକ ସୁରକ୍ଷା କ୍ଷେତ୍ରରେ ଗବେଷଣା କରୁଥିବା ସିୱାଇଏସ୍ଡିର ପ୍ରୋଗ୍ରାମ ମ୍ୟାନେଜର ଉପାଲି ମହାନ୍ତି ମତ ଦେଇଛନ୍ତି।
Trending
- ୨୬ ମାଓବାଦୀ ନିହତ, ଜଣେ ଯବାନ ସହିଦ
- ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର: ଜୁନରୁ ମାସିକ ପାଇବେ ୩୫୦୦ ଟଙ୍କା
- ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କଲେ ଜ୍ୟୋତି
- ସମ୍ବଲପୁର ଗସ୍ତରେ ଜି- ୨୦ ସେର୍ପା ଅମିତାଭ କାନ୍ତ
- ଦୁଇ ଦିନରେ ପ୍ରକାଶ ପାଇବ +୨ ଫଳାଫଳ : ନିତ୍ୟାନନ୍ଦ ଗଣ୍ଡ
- ସର୍ବଭାରତୀୟ ସ୍ତରରେ ଓଡିଶୀ ସଗୀଂତରେ ସଫଳତା ପାଇଲେ ନିରାକରପୁରର ଝିଅ ଇନ୍ଦିରା
- ମୁମ୍ବାଇରେ ୨ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ
- ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ କରିବ ଏସ୍ଟିଏଫ୍
- ଭାରତ ଭିତରେ ପାକିସ୍ତାନର ଗୁପ୍ତଚର
- ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା