ପାଣିପାଗରେ ଚରମ ପରିବର୍ତ୍ତନ ,ଆଣିପାରେ ଖାଦ୍ୟ ସଙ୍କଟ

କୀଟପତଙ୍ଗମାନଙ୍କ ଦ୍ବାରା ପରାଗଣ ଉପରେ ନିର୍ଭର କରୁଥିବା ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଫଳମୂଳ ଉତ୍ପାଦନ ଭୀଷଣ ଭାବରେ ପ୍ରଭାବିତ ବୋଲି ଆମେରିକାର ଆର୍ଲିଂଟନ୍‌ସ୍ଥିତ ଟେକ୍ସାସ୍ ବିଶ୍ବବିଦ୍ୟାଳୟ ଓ ଭର୍ଜିନିଆର ରିନୋସ୍ଥିତ ନେଭାଡ଼ା ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ସଦ୍ୟ ଅନୁସନ୍ଧାନରୁ ଜଣାଯାଇଛି। ଫୁଲ ଧରିବାର ସମୟ ଓ ପାଣିପାଗରେ ଚରମ ପରିବର୍ତ୍ତନ କିପରି ପରାଗଣକାରୀ କୀଟପତଙ୍ଗଙ୍କ ଗୁରୁତ୍ବପୂର୍ଣ୍ଣ ଖାଦ୍ୟ ଉତ୍ସର ଉପଲବ୍ଧତା ଉପରେ ପ୍ରଭାବ ପକାଇଥାଏ, ତାହା ଏଥିରୁ ସ୍ପଷ୍ଟ ହୋଇଛି। ଗବେଷକମାନେ ସେମାନଙ୍କ ଅନୁଧ୍ୟାନକୁ ପ୍ରଶାନ୍ତ ମହାସାଗରୀୟ ଝଡ଼, ବର୍ଷା ଓ ବରଫପାତ ଠାରୁ ଦୂରେଇ ରହୁଥିବା ଗ୍ରେଟ୍ ବେସିନ୍ ଓ ସିଏରା ନେଭାଡା ପର୍ବତମାଳା ଉପରେ କେନ୍ଦ୍ରୀଭୂତ କରିଥିଲେ। ଉକ୍ତ ଇଲାକାରେ ବାସ କରୁଥିବା ୨୦୦ରୁ ଅଧିକ ପ୍ରଜାପତି ପରାଗଣକାରୀ ଭାବରେ ଫୁଲର ପୁରୁଷ ଅଙ୍ଗରୁ ପୁଷ୍ପରେଣୁକୁ ବହନ କରି ମାଈ ଅଙ୍ଗରେ ପହଞ୍ଚାଇ ଫଳଧାରଣ ସକ୍ଷମ କରିଥା’ନ୍ତି।୨୦୦୦ ମସିହାରୁ ୨୦୨୧ ମସିହା ଯାଏ ସଂପୃକ୍ତ ଅଞ୍ଚଳରେ ୧୯ଟି ସ୍ଥାନରୁ ସଂଗୃହୀତ ପ୍ରଜାପତିମାନଙ୍କର ବ୍ୟାପକ ନମୁନାର ୨୧ ବର୍ଷର ଐତିହାସିକ ତଥ୍ୟକୁ ବିଶ୍ଳେଷଣ କରି ଗବେଷକମାନେ ଏହି ପତଙ୍ଗମାନଙ୍କର ବାସସ୍ଥାନ ନଷ୍ଟ ହେବାର ପରିଣାମ, ଖଣ୍ଡବିଖଣ୍ଡିତ ଭୂମିରୂପ ଓ ପରାଗଣ ସେବାରେ ଉଦ୍ଭିଦ ସମାବେଶର ପରିବର୍ତ୍ତନ ବାବଦରେ ଆଲୋକପାତ କରିଛନ୍ତି। ସେମାନଙ୍କର ଏହି ଅନୁଧ୍ୟାନ ମାନବ ବ୍ୟବହାର ଓ ବଞ୍ଚିବା ପାଇଁ ଖାଦ୍ୟ ଉତ୍ପାଦନକୁ ବଜାୟ ରଖିବାରେ ପରାଗଣକାରୀଙ୍କ ଗଭୀର ଗୁରୁତ୍ବକୁ ପ୍ରତିପାଦନ କରୁଛି। ଫଳପ୍ରଦ ପରାଗଣ ବିନା ବିଶ୍ବର ଖାଦ୍ୟ ଯୋଗାଣ ପାଇଁ ଗୁରୁତ୍ବପୂର୍ଣ୍ଣ ଅନେକ ଫସଲ ବିଫଳ ହୋଇପାରେ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ତେଣୁ ବିଶ୍ବ ଉତ୍ତପ୍ତୀକରଣ ସମୟରେ ପରାଗଣକାରୀଙ୍କ ସୁରକ୍ଷା ଓ ଅତ୍ୟାବଶ୍ୟକ ପରାଗଣ ସେବା ବଜାୟ ରଖିବା ପାଇଁ ଆବଶ୍ୟକ ଉନ୍ନତ ସଂରକ୍ଷଣ ନୀତି ପ୍ରସ୍ତୁତ କରିବା ଉପରେ ସେମାନେ ଗୁରୁତ୍ବାରୋପ କରିଛନ୍ତି।