୧୭ ଏପ୍ରିଲ ୧୯୯୭ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । ସେ ସମୟରେ ଜନତା ଦଳରେ ଥିବା ତୁଙ୍ଗ ନେତାମାନେ ଓଡ଼ିଶା ରାଜନୀତିର ମଙ୍ଗ କିଏ ସମ୍ଭାଳିବ ସେ ନେଇ ଚିନ୍ତା କରୁଥିଲେ । ରାଜ୍ୟର ଜନସାଧାରଣ ମଧ୍ୟ ଦ୍ବନ୍ଦ୍ବରେ ଥିଲେ କିଏ ଓଡ଼ିଶାର ରାଜନୀତିକୁ ପୁଣି ନୂଆ ଦିଶା ଦେବ । ସେ ସମୟରେ ବିଜୁ ବାବୁଙ୍କ ସାନ ପୁଅ ନବୀନ ପଟ୍ଟନାୟକ ଓଡ଼ିଶାରେ ଉଭା ହେଲେ । ଡୁନ ସ୍କୁଲରୁ ପଢ଼ିଥିବା ନବୀନ ସେ ସମୟରେ ଆମେରିକାରେ ରହୁଥିଲେ । ଓଡ଼ିଶା ରାଜନୀତିରେ ତାଙ୍କର ସିଧା ସଳଖ ସଂପର୍କ ନଥିଲା । ନିଜ ବହି ଲେଖା ଏବଂ ବିଦେଶରେ ସମୟ ବିତାଇ ଭାରି ଖୁସିରେ ଥିଲେ ନବୀନ ବାବୁ । ନବୀନଙ୍କୁ ୫୧ ବର୍ଷ ବେଳେ ବିଜୁବାବୁଙ୍କ ଦେହାନ୍ତ ହୋଇଥିଲା । ସେ ସମୟରେ କେହି ଭାବିନଥିଲେ ସେ ଓଡ଼ିଶା ରାଜନୀତିରେ ମଙ୍ଗ ଧରିବେ ।

ବିଜୁ ବାବୁଙ୍କ ଦେହାନ୍ତର ଏକ ବର୍ଷ ପରେ ବିଜେଡିର ମୂଳଦୁଆ ପଡିଥିଲା । ତାପରେ କିଏ ଜାଣିଥିଲା ନବୀନ ବାବୁ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶାରେ ଅପ୍ରତିଦ୍ୱନ୍ଦ୍ୱୀ, ଅପରାଜୟ ନେତା ହୋଇଯିବେ । ୭୬ ବର୍ଷ ବୟସରେ ସେ ଆଜି ବି ଓଡ଼ିଶାର ଅପ୍ରତିଦ୍ବନ୍ଦ୍ବୀ ନେତା । ଦୁଇ ଦଶନ୍ଧି ଧରି ଓଡ଼ିଶାର ଶାସନ ଭାର ସୁଚାରୁ ରୂପେ ଚଲାଉଛନ୍ତି ପ୍ରତିଟି ଓଡ଼ିଆଙ୍କ ଅତି ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ନିର୍ମଳ ଭାବମୃର୍ତ୍ତି, ସେବା, ବିକାଶ, ସୁଶାସନ ପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରିୟ ନେତା ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଲେଖକରୁ ରାଜନୀତିରେ ପ୍ରବେଶ କରି ଜଣେ ସଫଳ, ଅପ୍ରତିଦ୍ୱନ୍ଦ୍ୱୀ ଓ ପ୍ରିୟ ଶାସକ ପାଲଟିଛନ୍ତି ନବୀନ ପଟ୍ଟନାୟକ। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପରେ ଓଡ଼ିଶା ଶାସନ ଗାଦି ଉପରେ କଳା ବାଦଲ ଘୋଟି ଆସିଥିଲା। ୧୯୯୭ରେ ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଆର୍ବିଭାବ ଘଟିଲା। ୨୬ ବର୍ଷର ରାଜନୀତି ଇତିହାସ ଭିତରେ ନବୀନ ପଟ୍ଟନାୟକ ପ୍ରଥମେ ଆସିକାର ଲୋକସଭା ସଦସ୍ୟ ପରେ କେନ୍ଦ୍ର ମନ୍ତ୍ରୀ ଏବଂ ଗତ ୨୪ ବର୍ଷ ଧରି ନୀରବଛିନ୍ନ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଛନ୍ତି ।
ପ୍ରଥମେ ୧୯୯୭ରେ ଜନତା ଦଳ ପ୍ରାର୍ଥୀ ଭାବେ ଆସିକା ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଜିତିଥିଲେ। ପରେ ୧୯୯୭ ଡିସେମ୍ବର ୨୬ ତାରିଖରେ ଗଠନ ହେଲା ବିଜୁ ଜନତା ଦଳ। ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ ନବୀନ ପଟ୍ଟନାୟକ । ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଭରସା ନବୀନ ପଟ୍ଟନାୟକଙ୍କ ଉପରେ ରହି ଆସିଛି। ୨୦୦୦ ମସିହାରେ ଶାସନ ଭାର ସମ୍ଭାଳିବା ସହ ଓଡ଼ିଶାବାସୀଙ୍କ ପ୍ରତିଟି ଦୁଃଖ ସୁଖରେ ସାହା ହୋଇଛନ୍ତି ନବୀନ ପଟ୍ଟନାୟକ। ୨୦୦୦ରୁ ୨୦୦୯ ପର୍ୟ୍ୟନ୍ତ ବିଜେପି ସହ ମେଣ୍ଟରେ ଶାସନ କରିବା ପରେ ୨୦୦୯ ପରଠାରୁ ଏକାକୀ ବିଜେଡି ରାଜ୍ୟ ବିକାଶର ଦାୟିତ୍ୱ ନେଇଛି।
ତେବେ ନବୀନଙ୍କ ପରେ ଆଗାମୀ ଦିନରେ କିଏ ସମ୍ଭାଳିବ ବିଜେଡିର ନେତୃତ୍ବ । ତାକୁ ନେଇ ସାରା ଓଡ଼ିଶାରେ ଲାଗି ରହିଛି ଚର୍ଚା । ନିଜ ବାପାଙ୍କ ନାମରେ ଗଢ଼ା ହୋଇଥିବା ଦଳର ନେତୃତ୍ବ ତାଙ୍କ ପରିବାର ଲୋକଙ୍କ ହାତକୁ ଯିବ ନା ଆଉ କିଏ ନେବେ । ତେବେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ଏବେ ଚାରିଆଡେ ଚର୍ଚା । ଭିକେ ପାଣ୍ଡିଆନ ଧରିବେ କି ବିଜେଡିର ମଙ୍ଗ । ତାମିଲନାଡୁରେ ଜନ୍ମିଥିବା ଭି କେ ପାଣ୍ଡିଆନ ୨୦୦୦ ମସିହାରୁ ଓଡ଼ିଶା କ୍ୟାଡର ଆଇଏସ ଅଫିସର ଭାବେ କାର୍ୟ୍ୟ କରୁଛନ୍ତି । ୨୦୦୨ ମସିହାରେ କଳାହାଣ୍ଡି ସବକଲେକ୍ଟର ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ । ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ କାର୍ୟ୍ୟ କରୁଛନ୍ତି । ଭିକେ ପାଣ୍ଡିଆନ ଏବେ ନବୀନଙ୍କ ଖାସ ଲୋକ । ତାଙ୍କ ସହ ନବୀନଙ୍କ ଗଠବନ୍ଧନ ସମସ୍ତଙ୍କୁ ଜଣା । ଏବେ ସେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶମୂଳକ କାର୍ୟ୍ୟର ସମୀକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଲୋକ ଦେଖିବାକୁ ନପାଇଲେ ବି ପାଣ୍ଡିଆନ ବାବୁଙ୍କୁ ସବୁ ସମୟରେ ସବୁଠି ଦେଖିବାକୁ ମିଳୁଛି । ତେଣୁ ତାଙ୍କୁ ଏବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାବେ ଲୋକେ ଭାବିଲେଣି । ଦଳର ବହୁ ପୁରୁଖା ନେତା ବିଦା ହେଲେଣି । ଯେଉଁମାନେ ଅଛନ୍ତି ସେମାନେ ପାଟି ଖୋଲିପାରୁନାହାଁନ୍ତି । କି ଦଳର ସୁପ୍ରିମୋଙ୍କୁ ଭେଟିପାରୁନାହାଁନ୍ତି । ଦଳର ହର୍ତ୍ତାକର୍ତ୍ତା ଦଇବ ବିଧାତା ହେଉଛନ୍ତି ପାଣ୍ଡିଆନ ବାବୁ । ଯେଉଁ ଅସନ୍ତୁଷ୍ଟ ନେତାମାନେ ଅଛନ୍ତି ସେମାନେ ବାଟ କାଟୁଛନ୍ତି ଅନ୍ୟଦଳକୁ ଯିବାକୁ । ତେବେ ସତରେ କଣ ନବୀନଙ୍କ ରାଜନୈତିକ ସାମ୍ରାଜ୍ୟ ପାଣ୍ଡିଆନ ସମ୍ଭାଳିବେ ନା ଆଉ କିଏ । ଏକଥାର ଆକଳନ ଦୁଇ ତିନି ବର୍ଷ ହେଲା ଆରମ୍ଭ ହୋଇଯାଇଛି କେବଳ ପୂର୍ଣ୍ଣଛେଦ ପାଇଁ ବାକି ଅଛି । ତେବେ କଥାରେ ମଝିରେ ଟୁଇଷ୍ଟ ଆସିଥିଲା ଯେତେବେଳେ ଓଡ଼ିଶାର ପୂର୍ବତନ ବାଚସ୍ପତି କହିଥିଲେ ନବୀନଙ୍କ ପରେ ତାଙ୍କ ପରିବାର ଦଳର ନେତୃତ୍ବ ନେବେ । ସେ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କ କଥା କହୁନଥିଲେ ତ । ନବୀନ ବାବୁ ଯେପରି ହଠାତ ଓଡ଼ିଶା ରାଜନୀତିରେ ପ୍ରବେଶ କଲେ ଅରୁପ ପଟ୍ଟନାୟକ ସେପରି ହଠାତ ଓଡ଼ିଶା ରାଜନୀତିରେ ପ୍ରବେଶ କରିବେ କି? ଏବେ ମହାଭାରତର ସଂଜୟଙ୍କ ଭଳି ପାଣ୍ଡିଆନ କାର୍ୟ୍ୟ କରୁଥିବା ବେଳେ ସେତେବେଳେ ଅରୁଣଙ୍କୁ ଦାୟିତ୍ବ ଦେବେକି ପାଣ୍ଡିଆନ । ତାଙ୍କ ପାଇଁ ଚାଣକ୍ୟ ସାଜିବେ କି ପାଣ୍ଡିଆନ । ପୁଣି ମୋହରା ନବୀନ ପଟ୍ଟନାୟକଙ୍କ ବଦଳରେ ଅରୁଣ ପଟ୍ଟନାୟକଙ୍କ ହାତରେ ରହିବ କି? ନା ସିଧାସଳଖ ରାଜନୀତିର ମୁଖ୍ୟସ୍ରୋତକୁ ଆସିବେ ପାଣ୍ଡିଆନ । ସେ ପଛରେ ନରହି ସିଧା ରାଜନୀତି ମଇଦାନକୁ ଆସି ଶାସନର ନେତୃତ୍ବ ନେବେ କି ପାଣ୍ଡିଆନ । ଏମିତି ଅନେକ ଚର୍ଚା ଏବେ ଚାଲିଛି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନୀତି ସମୀକ୍ଷକଙ୍କ ମଧ୍ୟରେ । ଆଗାମୀ ଦିନରେ କଣ ହେଉଛି ତାହା ଦେଖିବାକୁ ବାକି ରହିଲା ।